କଟକ: ଦିନେ ସେ କଟକ ଛାତିରେ ଦମ୍ଭ କରି ଠିଆ ହୋଇଥିଲା, ଆଜି ନିଘୋର ନିଦରେ ଶୋଇଗଲା । ନିତି କୋଳେଇ ନେଉଥିଲା କେତେ ଯାତ୍ରୀଙ୍କୁ, ଆଜି ସେ ଶୂନ୍ୟକୋଳ । ସଞ୍ଜ ହେଲେ ଷ୍ଟ୍ରିଟ୍ ଲାଇଟ୍ ଆଲୁଅରେ ସଜେଇ ହଉଥିଲା । ଆଜି ସେ ଅନ୍ଧାରୀ ରାଇଜର କାଳିମା ଭିତରେ ବଳୀ ପଡି ଯାଇଛି । ଶୁନ୍ ଶାନ୍ , ନୀରବ , ଦେଖିଲେ ଯେମିତି ସତରେ କାହାକୁ ହରାଇଛି , କେହି ଆତ୍ମୟୀ ଯେମିତି ଚାଲିଯାଇଛି । ଆଉ କାନ୍ଦୁଛି ବାଦାମବାଡି ହଁ ଆଜ୍ଞା ବାଦାମବାଡି ଆଖିରେ ଲୁହ .. ସବୁଦିନ ପାଇଁ ନିରବି ଯାଇଛି ବାଦାମବାଡି । ଆଜିବି ଯାତ୍ରୀ ଙ୍କ ବାଟକୁ ଚାହିଁ ରହିଛନ୍ତି ବ୍ୟବାସାୟୀ ଭାଇ ମାନେ । ହେଲେ ଯେତେ ଅପେକ୍ଷା କଲେ ବି ଆଉ ଆସିବେନି କେହି .. ଅବିଶ୍ୱସନୀୟ ଘଟଣା ଯାହା ଆଜି ସମସ୍ତଙ୍କୁ ସବ୍ଧ କରି ଦେଇଛି ।
ଭୁଲି ପାରିନହାଁନ୍ତି ସେଇ ପୁରୁଣା ଦିନ ମାନଙ୍କୁ । ସେହି ପୁରୁଣା ଦିନ ଷ୍ଟପେଜ, ଗନ୍ତବ୍ୟର ନୂଆ ଠିକଣା, ପ୍ରତୀକ୍ଷାର ପ୍ରେକ୍ଷାଳୟ, ସେହି ବସ ଯାତ୍ରୀ ମଣିଷ , ଗହଳି ଚହଳି ସ ସବୁର ମୁକ ସାକ୍ଷୀ … କେତେ କାହାଣୀର ସ୍ରଷ୍ଟା, ସୃଷ୍ଟି ଓ ସାକ୍ଷୀ କହିବାକୁ ଗଲେ ତାହା କମ୍ ପଡିବ । ଆଜି ଖାଁ ଖାଁ, ସବୁଠି ଶୂନ୍ୟତା ଆଉ ନିସ୍ତବ୍ଦତାର ନାଗରା । ନୂଆ ବସ ଟର୍ମିନାଲ ହେବା ପରେ ପୁରୁଣା ହୋଇଯାଇଛି ବାଦାମବାଡି । ଆଉ ବସ୍ ଆସୁନି ବୋଲି ବନ୍ଦ ପଡିଛି ଦୋକାନ- ଭିତରକୁ ଚକ ଗଡୁନି ବୋଲି ଜୀବନଜୀବିକାରେ ବି ପଡିଛି ଚାବି । ବସଷ୍ଟାଣ୍ଡରେ ବେଉସା କରୁଥିବା ଲୋକ ଆଜି ବେସାହାରା । ପ୍ରଭାବିତ ଆଜି ଅନେକ ଦୋକାନୀ । କୁଆଡେ ଯିବେ ? କଣ କରିବେ ? ପୁଣି ଇତିହାସରେ ରୂପାନ୍ତରଣର ନୂଆ ଫର୍ଦ୍ଦ ଯୋଡିଲା ସତ କିନ୍ତୁ ବାଦାମବାଡି… ବାଦାମବାଡି… ବାଦାମବାଡିର ଅଭୁଲା ସ୍ମୃତି କେବେବି ନେତାଜୀ ବସ ଟର୍ମିନାଲ ମିଳି ପାରିବ ନାହିଁ । ଆଉ ସବୁ ଦିନ ପାଇଁ ଇତିହାସ ପାଲଟିଗଲା ବାଦାମବାଡି …