ଭାରତୀୟ ନୋଟରେ କେବେ ଏବଂ କାହିଁକି ଛପିଲା ମହାତ୍ମା ଗାନ୍ଧୀଙ୍କ ଚିତ୍ର? ଜାଣନ୍ତୁ କିଏ ଉଠାଇଛନ୍ତି ତାଙ୍କର ଏହି ହସୁଥିବା ଫଟୋ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହସୁଥିବା ଫଟୋ ଭାରତୀୟ ନୋଟର ପରିଚୟ ଅଟେ । ହେଲେ ଆପଣ ଜାଣିଛନ୍ତି କି ଏହି ଫଟୋ ନୋଟ ଉପରେ କେବେ ଏବଂ କିପରି ଆସିଲା? ପ୍ରକୃତରେ ସ୍ୱାଧୀନତାର ୪୯ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ଏହି ଫଟୋ ନୋଟରେ ଛପିନଥିଲା । ଏହା ପୂର୍ବରୁ ଅଶୋକ ସ୍ତମ୍ଭ ଛପୁଥିଲା । ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନତା ପାଇଥିଲା । ଏହାର ଦୁଇ ବର୍ଷ ପର୍ଯ୍ୟନ୍ତ କରେନ୍ସିର ରଙ୍ଗ-ରୂପରେ କୌଣସି ପରିବର୍ତ୍ତନ ହୋଇନଥିଲା । ୧୯୪୭ ମସିହା ପର୍ଯ୍ୟନ୍ତ ବ୍ରିଟେନ ରାଜା କିଙ୍ଗସ ଜର୍ଜଙ୍କ ଫଟୋ ନୋଟରେ ଛପୁଥିଲା । ୧୯୪୭ରେ ଭାରତ ସରକାର ପ୍ରଥମଥର ୧ ଟଙ୍କିଆ ନୋଟ ବାହାର କରିଥିଲେ । ଯେଉଁଥିରେ ସେ ଏଥିରେ କିଙ୍ଗସ ଜର୍ଜଙ୍କ ସ୍ଥାନରେ ଅଶୋକ ସ୍ତମ୍ଭକୁ ଛପାଇଥିଲେ ।

୧୯୫୦ରେ ସରକାର ୨,୫,୧୦ ଏବଂ ୧୦୦ ଟଙ୍କିଆ ନୋଟ ଛାପିଥିଲେ । ହେଲେ ଏଥିରେ ଅଶୋକ ସ୍ତମ୍ଭ ସହ ଅନେକ ପ୍ରକାରର ଫଟୋ ଛପିଥିଲା । ଯେପରି ମସଲମ ଆର୍ଯ୍ୟଭଟ ସାଟେଲାଇଟ ଠାରୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୃଷକ ପର୍ଯ୍ୟନ୍ତ ସମସ୍ତ ଛବି ଛପୁଥିଲା । ତେବେ ୧୯୬୯ ମସିହାରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଦେଖିବାକୁ ମିଳିଥିଲା । ସେହି ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୦୦ତମ ଜୟନ୍ତି ଥିଲା ଏବଂ ଏହି ଉପଲକ୍ଷେ ଖାସ ସିରିଜ ଜାରି କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ସେବାଗ୍ରାମ ଆଶ୍ରମର ଏକ ଫଟୋ ସେହି ସମୟରେ ଛପିଥିଲା । ୧୯୮୭ ମସିହାରେ ଦ୍ୱିତୀୟ ଥର ୫୦୦ ଟଙ୍କା ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପିଥିଲା ।

୧୯୯୫ ମସିହାରେ ରିଜର୍ଭ ବ୍ୟାଙ୍କ ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ସ୍ଥାୟୀ ଭାବେ ଛାପିବା ପାଇଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇଥିଲା । ସରକାରଙ୍କ ମଞ୍ଜୁରୀ ପରେ ୧୯୯୬ ମସିହାରେ ଅଶୋକ ସ୍ତମ୍ଭ ପରିବର୍ତ୍ତେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୋଟରେ ଛପା ଯାଉଛି । ୨୦୧୬ ମସିହାରେ ରିଜର୍ଭ ବ୍ୟାଙ୍କ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ନୋଟର ଏକ ନୂଆ ସିରିଜ ଲଞ୍ଚ କରିଛି ।

ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଯେଉଁ ଫଟୋ ଅଛି ତାହା କୌଣସି କ୍ୟାରିକେଚର ବା ଇଲଷ୍ଟ୍ରେସନ ନୁହେଁ, ଅରିଜିନାଲ ଫଟୋର କଟ ଆଉଟ ଅଛି । ଏହି ଫଟୋ ୧୯୪୬ ମସିହାରେ କଲିକତାର ବାୟସରାମ ହାଉସରେ ଉଠାଯାଇଥିଲା । ସେତେବେଳେ ମହାତ୍ମା ଗାନ୍ଧୀ ବ୍ରିଟିସ ନେତା ଲର୍ଡ ଫ୍ରେଡିକ ୱିଲିୟମ ପେଥିକ ଲରେନ୍ସଙ୍କୁ ଭେଟିବାକୁ ଯାଇଥିଲେ । ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ଏହି ଫଟୋ ଉଠାଯାଇଥିଲା । ହେନରୀ କାର୍ଟିଆର୍ ଠାରୁ ମାର୍ଗେଟ୍ ବାର୍କ ହ୍ୱାଇଟ ଏବଂ ମ୍ୟାକ୍ସ ଡେସଫର୍ ପର୍ଯ୍ୟନ୍ତ ଦୁନିଆର ବହୁ ପ୍ରସିଦ୍ଧ ଫଟୋଗ୍ରାଫର ମହାତ୍ମା ଗାନ୍ଧୀଙ୍କ ଫଟୋ ଉଠାଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ, ଭାରତୀୟ ମୁଦ୍ରାରେ ଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ କିଏ ଉଠାଇଛି ।