fbpx

ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ: ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ରେ ଆଉ ଏକ ବିଶାଳ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଇଂଲଣ୍ଡକୁ ଆଫଗାନିସ୍ତାନ ମାତ୍ ଦେବା ପରେ ଆଜି ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଛି ନେଦରଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଦମଦାର ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରିଥିବା ନେଦରଲାଣ୍ଡ ବୋଲିଂ ଆଟାକ ଆଗରେ ଫେଲ ମାରିଛି ଦକ୍ଷିଣ ଆଫ୍ରିକା । ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ବିପକ୍ଷରେ ୩୮ ରନରେ ପରାସ୍ତ ହୋଇଛି । ଡାଭିଡ ମିଲରଙ୍କ ଶତଚେଷ୍ଟା ପରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିବାରେ ସମର୍ଥ ହୋଇ ପାରିନାହିଁ । ଫଳରେ ବିଶ୍ୱକପରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା ।

ବର୍ଷା ଯୋଗୁଁ ୨୪୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ସାଉଥ ଆଫ୍ରିକା । କିନ୍ତୁ ବିଜୟ ହାସଲ କରିବାରେ ବିଫଳ ହୋଇଛି ବାଭୂମା ସେନା । ଡାଭିଡ ମିଲର ଦଳ ପକ୍ଷରୁ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିବା ବେଳେ ହେନରିକ କ୍ଲାସେନ ୨୮ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ ଥିବା ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ବୋଲିଂ ଆଗରେ ନିରସ୍ତ୍ର ପାଲଟିଯାଇଛି । ନେଦରଲାଣ୍ଡ ବୋଲରଙ୍କୁ ସାମନା କରି ନ ପାରି ମାତ୍ର ୨୦୭ ରନରେ ପରାସ୍ତ ହୋଇଛି ସାଉଥ ଆଫ୍ରିକା । ନେଦରଲାଣ୍ଡ ପକ୍ଷରୁ ଆର୍ଯ୍ୟନ ଦତ୍ତଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର ସଫଳତା ପାଇଛନ୍ତି । ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଭଳି ଦଳ ବିପକ୍ଷରେ ଶତକ ହାସଲ କରିଥିବା କ୍ୱିଣ୍ଟନ ଡି’କକ୍ ଏବଂ ଏଡେନ୍ ମାର୍କରମ୍ ମଧ୍ୟ ନେଦରଲାଣ୍ଡ ବୋଲରଙ୍କ ବିପକ୍ଷରେ ସଂଘର୍ଷ କରି ପାଭିଲିୟନ ଫେରିଛନ୍ତି । ଫଳରେ ୨୪୬ ରନ୍ ସଂଗ୍ରହ କରିବା ମଧ୍ୟ ଦଳ ପକ୍ଷରେ ଅସମ୍ଭବ ହୋଇ ପଡ଼ିଛି ।

ଆଜିର ମ୍ୟାଚ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅପରାଜେୟ ରହିଥିବା ବେଳେ ଆଜି ଏହି ବିଜୟଧାରାକୁ ଭାଙ୍ଗିଛି ନେଦରଲାଣ୍ଡ । ଦମଦାର ବୋଲିଂ କରି ଦକ୍ଷିଣ ଆଫ୍ରିକା ଉପରେ ଦଳ ୩୮ ରନର ଏକ ବିଶାଳ ବିଜୟ ହାସଲ କରିଛି । ନେଦରଲାଣ୍ଡ ପକ୍ଷରୁ ଲୋଗାନ୍ ଭାନ୍ ବିକ୍ ୩ଟି ସଫଳତା ହାସଲ କରିଥିବା ବେଳେ ରୋଲେଫ ଭାନ୍ ଡର୍ ମରୱି ଏବଂ ପଲ. ଭାନ୍ ମିକେରନ୍ ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ତେବେ କଲିନ୍ ଆକରମେନ୍ ଗୋଟିଏ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.