ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳଭୂମିରେ ଏକ ନୂଆ ଆବିଷ୍କାର କରାଯାଇଛି । ଜିଲ୍ଲାରେ ଚାଷ ହେଉଥିବା ଶତାଧିକ ପ୍ରଜାତିର ଧାନ ମଧ୍ୟରୁ ୮ ପ୍ରକାର ରଙ୍ଗୀନ ଧାନରେ ଔଷଧୀୟ ଗୁଣ ସହିତ ପୁଷ୍ଟି ଭରପୁର ହୋଇ ରହିଥିବା ଜଣାପଡ଼ିଛି ।

କଳାଚୂଡ଼ି, ବେଡ଼ାଗୁରୁମୁଖୀ ଓ କାନ୍ଦୁଲକାଠି ଆଦି ଧାନରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଅଧିକ ପୁଷ୍ଟି ରହିଥିବା ଜଣାପଡ଼ିଛି । ସିୟୁଓର ଜୈବ ବିବିଧତା ଓ ପ୍ରାକୃଥିକ ସମ୍ବଳ ସୁରକ୍ଷା ବିଭାଗ ପକ୍ଷରୁ ଏହି ଦାବି କରଯାଇଛି । ଏହି ଧାନ ଆଦିବାସୀ ଲୋକଙ୍କୁ ପୁଷ୍ଟି ସୁରକ୍ଷା ପ୍ରଦାନ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା କୁହାଯାଇଛି । କୋରାପୁଟର ମାଳଭୂମିରେ ୧୦୦ରୁ ଅଧିକ ପାରମ୍ପରିକ ଧାନ ଚାଷ କରାଯାଉଥିବା ବେଳେ ସେଥିମଧ୍ୟରୁ ୮ ପ୍ରକାର ରଙ୍ଗୀନ ଧାନରେ ଔଷଧୀୟ ଗୁଣ ରହିଛି ।

ସିୟୁଓ ପକ୍ଷରୁ କଳାଚୂଡ଼ି, ଭାଟମଲ୍ଲୀ, କାନ୍ଦୁଲକାଠି, ହଳଦୀଗଣ୍ଠି, ଟିକିଚୂଡ଼ି, ବେଡ଼ାଗୁରୁମୁଖୀ, ପରାଧାନ ଓ ମାଲିମକଡ଼ା ଧାନର ଗୁଣାତ୍ମକ ପୁଷ୍ଟିର ମାନ ଓ ଉପକାରିତା ଉପରେ ଗବେଷଣା କରାଯାଇଥିଲା । ତେବେ କଳାଚୂଡ଼ି, ବେଡ଼ାଗୁରୁମୁଖୀ ଓ କାନ୍ଦୁଲକାଠିରେ ସର୍ବାଧିକ ପରିମାଣର ଆଇନରନ, ଜିଙ୍କ, ଭିଟାମିନ-ସି, ଭିଟାମିନ-ଇ ଓ ଆଣ୍ଟିଅକ୍ସିଡେଣ୍ଟ ରହିଥିବା ଜଣାପଡ଼ିଥିଲା । ସେହିପରି ପରାଧାନ, ଭାଟମଲ୍ଲୀ ଓ ହଳଦୀଗଣ୍ଠିରେ ଅଧିକ ମାତ୍ରାରେ ପ୍ରୋଟିନ ଓ ଏନର୍ଜି ରହିଥିଲା । ପୂର୍ବରୁ ଥାଇଲାଣ୍ଡ, ଚୀନ, ଶ୍ରୀଲଙ୍କା, ବାଂଲାଦେଶରେ ଏପରି ରଙ୍ଗୀନ ଧାନ ଦେଖିବାକୁ ମିଳିଥିଲା । ଭାରତର ପୂର୍ବଘାଟ ପର୍ବତାମାଳାରେ ଏହାଠାରୁ ଅଧିକ ଗୁଣବତ୍ତା ଓ ରୋଗ ପ୍ରତିରୋଧକ ଶକ୍ତିଯୁକ୍ତ ଶସ୍ୟ ରହିଛି । ଏହି ଚାଉଳ ଦେଖିବାକୁ କଳା, ନାଲି, ଧୂସର ଓ ସବୁଜ ହୋଇଥିବା ବେଳେ ଏହା ୧୪୦-୧୫୦ ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ । ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି କିସମର ଧାନ ବିଲୁପ୍ତ ହୋଇଯାଉଥିବାରୁ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ଏନେଇ ପଦକ୍ଷେପ ନେବା ଆବଶ୍ୟକ । ପୂର୍ବରୁ କୋରାପୁଟର କଫି, କଳାଜିରା ଧାନ, ମାଣ୍ଡିଆକୁ ପ୍ରଚାର ପ୍ରସାର କରାଯାଇଥିବା ବେଳେ ଚାଉଳକୁ ନେଇ କିଛି ପଦକ୍ଷେପ ଗ୍ରହଣ କଲେ କୋରାପୁଟ ପୁଣି ଥରେ ସ୍ୱତନ୍ତ୍ର ପରିଚୟ ପାଇ ପାରନ୍ତା ।