Breaking News…ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର
ଓଡିଶା ଭାସ୍କର; ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର । ୭ ବିଭାଗର ୧୬ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ବାଜିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ପ୍ରକାଶ ପାଇଛି।
ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅନ୍ୟପଟେ ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ୩ଟି ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ହେବ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ୟ୍ୟ କରିବ ବୋଲି ନିଷ୍ପତି ନିଆଯାଇଛି । ସେହିପରି କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ରିହାତି ଗୃହ ଯୋଜନା କରିବାକୁ ସରକାର ନିଷ୍ପତି ନେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ୱବିଦ୍ୟାଳୟ। ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।
ଏହା ସହ ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ରାଜ୍ୟର ବ୍ଲକ ସ୍ତରରେ ଥିବା ମୋଟ ୫୫ଟି ବସଷ୍ଟାଣ୍ଡର ଉନ୍ନତିକରଣ କରାଯିବ । ଅପରପକ୍ଷେ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ୟ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ୟ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହା ସହ ବ୍ରାହ୍ମଣୀ, ଇନ୍ଦ୍ରାବତୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ଜଣାପଡିଛି ।