ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି: ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆଜି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ସେ ରାଜ୍ୟରେ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି । ସେହିଭଳି ବିପର୍ଯ୍ୟୟ ପ୍ରଭାବିତ ଗ୍ରାମଗୁଡ଼ିକରେ ଲୋକମାନଙ୍କୁ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶିକ୍ଷଣ ଦିଆଯିବ । ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ତାଲିମ୍‍ ଦିଆଯିବ । ସବୁ ପଞ୍ଚାୟତରେ ଅଟୋମେଟେଡ୍‍ ୱେଦର ଓ ରେନ୍‍ ଗଜ୍‍ ଷ୍ଟେସନ ସ୍ଥାପନ ହେବ ବୋଲି ସୂଚନା ମିଳିଛି ।

ଏଥିରେ ବିପର୍ଯ୍ୟୟ ପରିଚାଳନାରେ ବ୍ୟବହୃତ ସନ୍ଧାନ ଓ ଉଦ୍ଧାର ଉପକରଣ ଗୁଡ଼ିକର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହାସହ ବିପର୍ଯ୍ୟୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ୧୯୯୯ ମହାବାତ୍ୟାକୁ ଆଜି ୨୪ବର୍ଷ ପୂରିଛି । ଏହାକୁ ମନେ ପକାଇ ରାଜ୍ୟରେ ପ୍ରତିବର୍ଷ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଏ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ଭଦ୍ରକ ଜିଲ୍ଲା ବିପର୍ଯ୍ୟୟ ବିଭାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ସଂସ୍କୃତିଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ ।

ସେହିପରି ବାଲେଶ୍ୱରଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ଦୁର୍ବିପାକ ଦିବସ ପାଳନ ଅବସରରେ ଏନ୍‍ଡିଆରଏଫ୍‍, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଦୁର୍ବିପାକର ମୁକାବିଲା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା ।

ବିପର୍ଯ୍ୟୟ ସମୟରେ ସଫଳ ମୁକାବିଲା ଲାଗି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମକ୍‍ଡ୍ରିଲ୍‍ ମାଧ୍ୟମରେ ସରକାରୀ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ସଚେତନ କରାଯାଇଛି ।