ଚିନ୍ତା ବଢାଉଛି ରାଜଧାନୀର ଅଳିଆ ଗଦା: ପରିବେଶ ସମ୍ପୂର୍ଣ୍ଣ ଭାବେ ଦୁର୍ଗନ୍ଧମୟ, ବିଏମସି ନେଉନି ପଦକ୍ଷେପ

ଭୁବନେଶ୍ୱର: ସୈନିକ ସ୍କୁଲ ପାଖରେ ଥିବା ଅଳିଆ ଗଦା ଭୁବନେଶ୍ୱରର ସବୁଠୁ ବଡ଼ ଅଳିଆଗଦା । ସାରା ଭୁବନେଶ୍ୱର ସହରର ଅଳିଆ ସେଠାରେ ଗଦା କରାଯାଇଥାଏ । ତେବେ ଏହା ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଏହା ସହ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି । ସେଥିରୁ ବାହାରୁଥିବା ଦୁର୍ଗନ୍ଧ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଉଛି ।

ସାରା ଭୁବନେଶ୍ୱର ସହରର ଅଳିଆ ଏଠାରେ ଆସି ଜମା ହୋଇଥାଏ । ତେବେ ଅଳିଆ ସବୁ ଜମାହୋଇ ରହିବା ଫଳରେ ସେଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଦୁର୍ଗନ୍ଧମୟ ହୋଇଯାଇଛି । ଯାହା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି ପରିବେଶରେ ରହିବା ଦ୍ୱାରା ସେମାନଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି ବୋଲି ସେମାନେ କହିଛନ୍ତି ।

ନିକଟରେ ସୈନିକ ସ୍କୁଲ ଥିବା କାରଣରୁ ସେଠାକାର ଅନ୍ତେବାସୀ ତଥା ଛାତ୍ରଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ପରିବେଶ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ୁନଥିବା ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ଧୀରେ ଧୀରେ ଏହି ଅଳିଆ ସବୁ ପଚି ମାଟି ସହ ପାଣିକୁ ମଧ୍ୟ ପ୍ରଦୂଷିତ କରିବା ଆଶଙ୍କା କରାଯାଉଛି ।

ତେବେ ଏହି ଦୁର୍ଗନ୍ଧ ପାଖାପାଖି ଅଞ୍ଚଳରେ ବ୍ୟାପି ରହିଛି । ଯେଉଁଥିପାଇଁ ସେହି ରାସ୍ତା ଦେଇ ଯିବା ଆସିବା କରିବା ମଧ୍ୟ କଷ୍ଟ । ଲୋକମାନେ ସେହି ରାସ୍ତାରେ ଗଲାବେଳେ ରୁମାଲ ନେଇ ନଚେତ ମୁହଁ ଘୋଡ଼ାଇ ଯାତ୍ରା କରୁଥିବା ଦେଖାଯାଇଛି । ଏହି ଦୁର୍ଗନ୍ଧ ଭିଏସଏସ ନଗର, ମଞ୍ଚେଶ୍ୱର, ଶହୀଦ ନଗର ଆଚାର୍ଯ୍ୟ ବିହାର, ଡମଣା, ଚନ୍ଦ୍ରଶେଖରପୁର ଓ ଚକେଇସିଆଣି ପରି ଅଞ୍ଚଳରେ ବ୍ୟାପି ରହିଛି ।

ତେବେ ଏତେ ସବୁପରେ ମଧ୍ୟ ବିଏମସି ଏନେଇ କୌଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏସବୁ ସମସ୍ୟାର ସମାଧାନ ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ଆସିଛି । ସହର ବାହାରରେ କୌଣସି ଏକ ସ୍ଥାନରେ ଅଳିଆଗଦାକୁ ସ୍ଥାନାନ୍ତର ମଧ୍ୟ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ଏ ନେଇ ବିଏମସି ଏପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହିଁ ।