fbpx

ଶୁଣାଣିରେ ବିଳମ୍ବ କରିବାକୁ ଚାହୁଁଛନ୍ତି କି! ଜାଣନ୍ତୁ କୋର୍ଟଙ୍କ ଏପରି ପ୍ରଶ୍ନର କି’ ଉତ୍ତର ଦେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଆଜି ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଏହି ମାମଲାର ଶୁଣାଣି ବିଳମ୍ବ କରିବାକୁ ମନୀଷ ସିସୋଦିଆଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏ ନେଇ ମନୀଷ ଇଡି ବିଳମ୍ବ କରୁଥିବା ଉତ୍ତର ଦେଇଛନ୍ତି।

ବାସ୍ତବରେ ମନୀଷ ସିସୋଦିଆଙ୍କ ଓକିଲ ଇଡିକୁ ୧୦ ତାରିଖ ଭିତରେ ସମସ୍ତ ଡକ୍ୟୁମେଣ୍ଟ ସଫ୍ଟ କପି ମାଗିଥଲେ । କିନ୍ତୁ ବର୍ତ୍ତମାନ ଡକ୍ୟୁମେଣ୍ଟଗୁଡିକର ହାର୍ଡ କପି ଦାବି କରିଛନ୍ତି । ତେବେ କୋର୍ଟ ମନୀଷ ଏବଂ ଏହି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଏହି ମାମଲାର ଶୁଣାଣି ବିଳମ୍ବ କରିବାକୁ ଚାହୁଁଛନ୍ତି କି ନାହିଁ ପ୍ରଶ୍ନ କରିଛନ୍ତି? ଅନ୍ୟପକ୍ଷରେ ମନୀଷଙ୍କ ଓକିଲ କହିଛନ୍ତି ଯେ ଡକ୍ୟୁମେଣ୍ଟଗୁଡିକର ହାର୍ଡ କପି ମଧ୍ୟ ଦିଆଯିବା ଉଚିତ୍।

ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ ଇଡି କାରଣରୁ ଶୁଣାଣି ବିଳମ୍ବ ହେଉଛି। ଆମର ଆବେଦନକୁ ନେଇ ଇଡି ତିନି ମାସ ହେବ ଜବାବ ଦାଖଲ କରୁନଥିବା କାରଣରୁ ଶୁଣାଣି ବିଳମ୍ବ ହେଉଥିବା ସେ କହିଛନ୍ତି । ତେବେ ସ୍ୱାସ୍ଥ୍ୟ ଆଧାରରେ ଅମନଦୀପ ଧଲଙ୍କ ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଅମନଦୀପ ଧଲଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ ଇଡି କହିଛି ଯେ ଏହା ପୂର୍ବରୁ ଏଭଳି ଭାବେ ଡକ୍ୟୁମେଣ୍ଟଗୁଡିକର କପି କୌଣସି ଅଭିଯୁକ୍ତ ମାଗିନାହାନ୍ତି । ଏଥିସହ ଇଡି କହିଛି ଯେ ସେମାନଙ୍କୁ ମେଲରେ ସମସ୍ତ ଆବଶ୍ୟକୀୟ ଦଲିଲ ଦିଆଯାଇଛି। କିନ୍ତୁ ବର୍ତ୍ତମାନେ ସେମାନେ ଏହି ଦଲିଲର ହାର୍ଡ଼କପି ମାଗିବା ଦ୍ୱାରା ଶୁଣାଣି ଡେରି ହେଉଛି ବୋଲି ସ୍ପଷ୍ଟୀକରଣ ଦେଇଛି ଇଡି ।

Get real time updates directly on you device, subscribe now.