ଜାପାନ: ଦୁନିଆରେ ବିଭିନ୍ନ ଅଜବ ସ୍ଥାନ ରହିଛି ଯାହା ମନୁଷ୍ୟ କେବେ କଳ୍ପନା କରି ପାରେନାହିଁ । ତେବେ ଏହି ଦୁନିଆରେ ଏପରି ଏକ ଅଜବ ସ୍ଥାନ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ କଣ୍ଢେଇ ରହିଛି । ବିଶ୍ୱାସ ହେଉ ନଥିଲେ ବି କଥାଟି ସତ । ଜାପାନରେ ରହିଛି ଏପରି ଏକ ନିଆରା ଗାଁ ଯେଉଁଠାରେ ମଣିଷଙ୍କ ଠାରୁ ଅଧିକ କଣ୍ଢେଇ ରହିଛନ୍ତି । ଏହି ଗାଁଟି ହେଉଛି ଜାପାନର ନାଗୋରୋ ଗାଁ ।
ଏହି ଗାଁର ବିଦ୍ୟାଳୟରେ ପିଲାମାନଙ୍କ ବଦଳରେ କଣ୍ଢେଇ ପାଠ ପଢ଼ୁଥିବାର ଦେଖାଯାଏ । ନାଗୋରୋ ଗାଁ ପ୍ରାୟ ସମ୍ପୂର୍ଣ୍ଣ ନିଛାଟିଆ । କେବଳ ବୃଦ୍ଧମାନେ ହିଁ ଗାଁରେ ରହିଛନ୍ତି । ଯୁବକ ସଂଖ୍ୟା କମ୍ ଥିବାରୁ ଏହି ଗାଁରେ ୧୮ ବର୍ଷ ଧରି କୌଣସି ଶିଶୁ ଜନ୍ମ ହୋଇନାହାଁନ୍ତି। ତେବେ କିଛି ବର୍ଷ ତଳେ ନାଗୋରୋ ଗାଁର ଜନସଂଖ୍ୟା ୩୦୦ ଥିଲା । କିନ୍ତୁ ଧୀରେ ଧୀରେ ଏଠାକାର ଲୋକେ ଗାଁ ଛାଡିବାକୁ ଆରମ୍ଭ କରିଥିଲେ ।
ତେବେ ନାଗୋରୋ ଗାଁ ବିଷୟରେ ଏକ ରୋଚକ କାହାଣୀ ରହିଛି । ଏହି ଗାଁର ବାସିନ୍ଦା ଆୟାନୋ ସୁକିମି ପ୍ରଥମେ ନିଜ ପିତାଙ୍କ ପୋଷାକରୁ ଗାଁ ପାଇଁ ଏକ ‘ସ୍କେୟାର କ୍ରୋ’ ପ୍ରସ୍ତୁତ କରିଥିଲେ। ପରେ ଆୟାନୋ ସୁକିମି ଏହାକୁ ତାଙ୍କର ମୁଖ୍ୟ ଲକ୍ଷ୍ୟ କରିଥିଲେ । ତେବେ ବର୍ତ୍ତମାନ ଦୂରଦୂରାନ୍ତରୁ ବିଭିନ୍ନ ଲୋକ ନାଗୋରୋ ଗାଁକୁ ଦେଖିବା ପାଇଁ ଆସନ୍ତି । ଅକ୍ଟୋବର ମାସର ପ୍ରଥମ ରବିବାରରେ ଏଠାରେ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ । ତେବେ ଏହି ଗାଁ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଆଜି ନାଗୋରୋ ଗାଁରେ କେବଳ କଣ୍ଢେଇ ହିଁ ଦେଖିବାକୁ ମିଳୁଛି । ଏଠାରେ ବାସ କରୁଥିବା ଲୋକଙ୍କ ଏକଲାପଣକୁ ଦୂର କରିବା ପାଇଁ ଏହା ଏବେ ମଧ୍ୟ ଜାରି ରହିଛି । ୨୦୧୪ ରେ, ଜର୍ମାନ ଚଳଚ୍ଚିତ୍ର ନିର୍ମାତା ଫ୍ରିଜ୍ ଶୁମାନ୍ ମଧ୍ୟ ନାଗୋରୋ ଗାଁ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ । ଏହା ପରେ ଏହା କଣ୍ଢେଇ ଗାଁ ଭାବରେ ପରିଚିତ ହୋଇଛି ।