fbpx

ମଣିଷ ଦେହରେ ମିଳିଲା ଏହି ଭୟଙ୍କର ଭାଇରସ: ଚୀନ ପରେ ବ୍ରିଟେନରୁ ନୂଆ ଭୂତାଣୁ ଆତଙ୍କ

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବିପଦଜନକ ଭାଇରସକୁ ନେଇ ଅନେକ ଦେଶ ଚିନ୍ତାରେ ପଡ଼ିଯାଇଛନ୍ତି । ଗୋଟିଏ ପକ୍ଷରେ ଚୀନରେ ନିମୋନିଆକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବ୍ରିଟେନର ଆଉ ଏକ ଭାଇରସକୁ ନେଇ ଭୟ ବୃଦ୍ଧି ପାଉଛି । ନୂଆ ଭାଇରସର ଏହି ଷ୍ଟ୍ରେନ ଏବେ ବିପଦର ଘଣ୍ଟି ପାଲଟିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏ ନେଇ ସ୍ପଷ୍ଟ ସୂଚନା ଦେଇଛି । ତେବେ ଏହି ଭାଇରସ ସାଧାରଣତଃ ଘୁଷୁରିମାନଙ୍କ ଦେହରେ ମିଳିଥାଏ । କିନ୍ତୁ ଏବେ ବ୍ରିଟେନରେ ମଣିଷ ଦେହରେ ମଧ୍ୟ ଏହାର ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡ଼ିଯାଇଛି ।

ସୂଚନା ଅନୁସାରେ, ବ୍ରିଟେନର ଜଣେ ବ୍ୟକ୍ତି ଅଚାନକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲରେ ପହଞ୍ଚିଥିଲେ । ତେବେ ତାଙ୍କର ଏଥିପାଇଁ ଟେଷ୍ଟ କରାଯିବାରୁ ଏକ ଅବିଶ୍ୱସନୀୟ ରିପୋର୍ଟ ମିଳିଛି । ତାଙ୍କ ଦେହରେ H1N2 ନାମକ ଏକ ଭାଇରସ ଚିହ୍ନଟ ହୋଇଛି । ସ୍ୱାଇନ ଫ୍ଲୁ ଭାଇରସରେ ଆଂଶିକ ଭାବରେ ସଂକ୍ରମିତ ହୋଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ତେବେ ଏହି ଭାଇରସ କେତେ ଭୟଙ୍କର ହୋଇପାରେ, ସେ ନେଇ କୌଣସି ରିପୋର୍ଟ ମିଳିପାରିନାହିଁ । ତେବେ ସଂକ୍ରମିତ ବ୍ୟକ୍ତିଜଣକ ଘୁଷୁରି ସହ କୌଣସି ପ୍ରକାର ସମ୍ପର୍କରେ ନଥିବା ସତ୍ତେ୍ୱ ସ୍ୱାଇନ ଫ୍ଲୁ ଭୂତାଣୁରେ ଆକ୍ରାନ୍ତ ହେବା ଆଶ୍ଚର୍ଯ୍ୟଜନକ ବିଷୟ ।

ସେପଟେ ମହାମାରୀକୁ ନେଇ ବର୍ତ୍ତମାନ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ । ତେବେ ସ୍ୱାସ୍ଥ୍ୟ ଅଧିକାରୀ ଲଗାତାର ସଂକ୍ରମଣକୁ ନେଇ ପରୀକ୍ଷା ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଶୀର୍ଷରେ ପହଞ୍ଚି ପାରି ନାହାନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମୋଟ ୫୦ ଜଣଙ୍କ ଦେହରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ଏଥିରେ ରୋଗୀଙ୍କୁ ହାଲକା ଜ୍ୱର ହୋଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ।

Get real time updates directly on you device, subscribe now.