ଓଡ଼ିଶା ଭାସ୍କର: ଆମେ ଜାଣିଛେ ଅଧିକ ଚିନି ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ । କାରଣ ଶରୀରରେ ସୁଗାର ମାତ୍ରା ଅଧିକ ହେଲେ ଏହା ଭୟଙ୍କର ରୂପ ନେଇଥାଏ । ଯାହା ଭବିଷ୍ୟତରେ ଡାଇବେଟିସର ରୂପ ଧାରଣ କରି ମୃତ୍ୟୁ ପର୍ଯ୍ୟନ୍ତ ଟାଣିନିଏ । ତେଣୁ ପ୍ରାୟ ବୟସ୍କ ବ୍ୟକ୍ତିବିଶେଷ ଚିନି ଖାଇବାକୁ ନାପସନ୍ଦ କରିଥାନ୍ତି । ତେବେ ଖୁବଶୀଘ୍ର ଅନେକ ସମସ୍ୟାର ସମାଧାନ ହେବାକୁ ଯାଉଛି । ବଜାରକୁ ଏବେ ଆସିବାକୁ ଯାଉଛି ଏପରି ଏକ ଚିନି ଯାହାକୁ ଖାଇବା ଏସବୁ ସମସ୍ୟା ରହିବ ନାହିଁ ।
ଏକ ରିପୋର୍ଟରୁ ଜଣାଯାଇଛି ଯେ, ମାର୍କେଟକୁ ଖୁବଶୀଘ୍ର ଏକ ନୂଆ ପ୍ରକାରର ଚିନି ଉପଲବ୍ଧ ହେବାକୁ ଯାଉଛି । ଏହାକୁ ଖାଇବା ଦ୍ୱାରା ନା ରହିବ କଲେଷ୍ଟ୍ରୋଲ୍ ବ୍ୃଦ୍ଧି ହେବାର ଭୟ ନା ହେବ ବ୍ଲଡ୍ ପ୍ରେସର ବୃଦ୍ଧି । ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହି ଚିନି ଖାଇବା ସମ୍ଭବ ହୋଇପାରିବ । ଏହା ସେମାନଙ୍କୁ କୌଣସି ହାନି ପହଞ୍ଚାଇବ ନାହିଁ ବୋଲି ଜାଣିବାକୁ ମିଳିଛି । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ଲିଭର ସମସ୍ୟା ମଧ୍ୟ ଦୂର ହୋଇଥାଏ । ନେସନାଲ ସୁଗାର ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଚିନିକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଏହାର ସେବନ କାହାକୁ କ୍ଷତି ପହଞ୍ଚାଇବ ନାହିଁ । ଇନଷ୍ଟିଚ୍ୟୁଟର ଡାଇରେକ୍ଟର ନରେନ୍ଦ୍ର ମୋହନ କହିଛନ୍ତି ଯେ, ଏହା ଦେଶର ପ୍ରଥମ ଜିଆଇ ସୁଗାର । ଯାହାର ସଫଳତା ପାଇଁ ଖୁବ ପରିଶ୍ରମ କରିବାକୁ ପଡିଛି । ଏବଂ ଏହା ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
ଡାଇରେକ୍ଟର ନରେନ୍ଦ୍ର ମୋହନଙ୍କ କହିବାନୁସାରେ, ଆମେ ବ୍ୟବହାର କରୁଥିବା ସାଧାରଣ ଚିନି ଠାରୁ ଏହାର ମୂଲ୍ୟ ୨୦ ପ୍ରାୟ ପ୍ରତିଶତ ଅଧିକ ହେବ । ଏହି ଚିନିରେ ଭିଟାମିନ୍–ଏ ରହିଥିବା ବେଳେ ଏଥିରେ ଜିଙ୍କ, ଭିଟାମିନ୍-ବି ଏବଂ ଆଇରନ ଇତ୍ୟାଦି ସାମିଲ କରାଯିବ । ଏହାଛଡା ଅନ୍ୟାନ୍ୟ ୧୨ ପ୍ରକାର ଭିଟାମିନ ମଧ୍ୟ ଏହି ଚିନିରେ ମିଶ୍ରଣ କରାଯିବ ବୋଲି କୁହାଯାଇଛି । ଏହି ଚିନି ପ୍ରସ୍ତୁତ ନିମନ୍ତେ ଆଖୁରସକୁ ବିଷମ ଉପାୟରେ ପରିଷ୍କାର କରାଯାଇଥିବା ଡାଇରେକ୍ଟର ନରେନ୍ଦ୍ର ମୋହନ କହିଛନ୍ତି ।