ଉଦ୍ୟମିତା କ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ସ୍ମାର୍ଟ ଓଡ଼ିଶା ହାକାଥନ୍-୨.୦’
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଉଦ୍ୟମିତା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଲାଗି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଓଡ଼ିଶା ହାକାଥନ୍-୨.୦ ଆରମ୍ଭ କରାଯିବ । ଆସନ୍ତା ୨୪ ତାରିଖରୁ ଜିଲ୍ଲାସ୍ତରୀୟ ଓ ଜାନୁଆରୀ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ-୨.୦ କାର୍ଯ୍ୟକ୍ରମ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯିବ ।
ହାକାଥାନ୍-୨.୦ ରେ କୃଷି, ଫୁଡ୍ ଟେକ୍ନୋଲୋଜି, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା, ଅକ୍ଷୟ ଉର୍ଜା, ଇ-କମର୍ସ, ସାଇବର ସୁରକ୍ଷା, ସ୍ମାର୍ଟ ଏଜୁକେସନ୍, ବିପର୍ଯ୍ୟୟ ପରିଚାଳନା ଭଳି ୧୦ଟି ଥିମ୍ ରଖାଯାଇଛି । ଏହି ଥିମ୍କୁ ଆଧାର କରି ପିଲାମାନେ ପ୍ରକଳ୍ପ ପ୍ରସ୍ତୁତ କରିବେ । ଏହାକୁ www.odiapreneur2.comରେ ଅପଲୋଡ୍ କରିବେ ।
ଗୋଟିଏ ଦଳରେ ୧ରୁ ୩ ଜଣ ପିଲା ସର୍ବାଧିକ ଭାଗ ନେଇପାରିବେ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ । ଏଥିପାଇଁ ୧୧ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି ।