fbpx

ଆଜି ଟିମ୍ ଇଣ୍ଡିଆର ଏହି ୫ ଖେଳାଳିଙ୍କ ଜନ୍ମଦିନ, ଆସନ୍ତୁ ଜାଣିବା ସେମାନଙ୍କ ଲାଇଫ୍‌ର କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଲାଗି ସେପ୍ଟେମ୍ବର ୬ ତାରିଖ ବହୁତ ସ୍ୱତନ୍ତ୍ର । କାରଣ ଆଜି ଟିମ୍ ଇଣ୍ଡିଆର ୫ ଜଣ ବଡ ଖେଳାଳୀଙ୍କ ଜନ୍ମଦିନ । ଏମାନଙ୍କ ମଧ୍ୟରୁ ଜଣେ ଖେଳାଳୀ ଦୀର୍ଘ ସମୟ ଧରି ଟିମ୍‌ରେ ନାହାନ୍ତି । ଅନ୍ୟଜଣେ ଖେଳାଳି ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି । ଡିସେମ୍ବର ୬ରେ ଜନ୍ମ ହୋଇଥିବା ଏହି ୫ ଖେଳାଳୀ ହେଉଛନ୍ତି ଜସପ୍ରୀତ ବୁମରାହ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, କରୁଣ ନାୟର ଓ ଆର୍‌.ପି ସିଂହ ।

ରବୀନ୍ଦ୍ର ଜାଡେଜା : ଟିମ୍ ଇଣ୍ଡିଆର ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଆଜି ୩୫ ବର୍ଷ ହୋଇଛି । ୬ ଡିସେମ୍ବର ୧୯୮୮ରେ ସୌରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା ଜାଡେଜା ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ । ନିକଟରେ ଶେଷ ହୋଇଥିବା ୱାର୍ଲ୍ଡ କପ୍‌ରେ ଜାଡେଜା ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ସେ ଏବେ ଆଇସିସି ଟେଷ୍ଟ ର‌୍ୟାଙ୍କିଂରେ ନଂ ୧ ବୋଲର ଅଛନ୍ତି । ୨୦୦୫ରେ ଜାଡେଜା ନିସଜ ମାଙ୍କୁ ହରାଇବା ପରେ ଆଉ କ୍ରିକେଟ୍ ଖେଳିବେନି ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରିବାର ଲୋକେ ତାଙ୍କୁ ଏପରି ନ କରିବାକୁ ପରାମର୍ଶ ଦେଇଥିଲେ । ଫଳରେ ସେ ପୁଣି ସାହାସ ଜୁଟାଇ ପାରିଥିଲେ । ଜାଡେଜାଙ୍କର ଗୋଟିଏ ବଡ ସମସ୍ୟା ଥିଲା । ତାହା ହେଉଛି ନିଦରେ ଚାଲିବା । ସେ ପ୍ରାୟ ସମୟ ନିଦରୁ ଉଠି ଚାଲିଥାନ୍ତି । ଏହି କାରଣରୁ ରାତିରେ ଜାଡେଜାଙ୍କ ମା’ ତାଙ୍କ ହାତ ଧରି ଶୋଉଥିଲେ ।

ବୁମରାହ: ଆଜି ୩୦ ବର୍ଷରେ ପହଞ୍ଚିଛନ୍ତି ବୁମରାହ । ୬ ଡିସେମ୍ବର ୧୯୯୩ରେ ଅହମ୍ମଦାବାଦରେ ଜନ୍ମ ହୋଇଥିଲେ ବୁମରାହ । ସେ ଭାରତ ଲାଗି ୩ ଫର୍ମାଟରେ ( ଟେଷ୍ଟ, ୱାନ ଡେ’, ଟି ୨୦) ଖେଳିଥାନ୍ତି । କିନ୍ତୁ ବ୍ୟାକ୍ ଇନଜୁରୀ କାରଣରୁ ସେ ଏବେ ବିଶ୍ରାମ ନେଉଛନ୍ତି । ବୁମରାହଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା । ମାତ୍ର ୫ ବର୍ଷ ବୟସରୁ ସେ ପିତାଙ୍କୁ ହରାଇଥିଲେ । ୧୪ ବର୍ଷରୁ ସେ କ୍ରିକେଟର ହେବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ତାଙ୍କୁ ମା’ଙ୍କୁ ଏଥିପାଇଁ ମନାଇବାକୁ ବହୁତ କଷ୍ଟ କରିବାକୁ ପଡିଥିଲା । ଶେଷରେ ପୁଅର ଇଚ୍ଛାକୁ ମା’ ସମ୍ମାନ ଦେଇଥିଲେ ଓ ବୁମରାହ ଆଜି ଭାରତୀୟ କ୍ରିକେଟ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛିନ୍ତି ।

ଶ୍ରେୟସ ଆୟର: ମୁମ୍ବାଇର ଏହି ବ୍ୟାଟସମ୍ୟାନ୍ ଆଜି ୨୯ ବର୍ଷରେ ପାଦ ଦେଇଛନ୍ତି । ଭାରତ ଲାଗି ସେ ଏ ପର୍ଯ୍ୟନ୍ତ ୧୦ ଟେଷ୍ଟ, ୫୮ ୱାନ ଡେ’, ୫୧ ଟି ୨୦ ଖେଳିସାରିଲେଣି । ଚଳିତ ୱାର୍ଲ୍ଡ କପ୍‌ରେ ବି ସେ ଭଲ ପ୍ରଦର୍ଶନ କରିଛନ୍ତି । ୧୦ ବର୍ଷ ବୟସରୁ ସେ କ୍ରିକେଟ୍ ଖେଳ ପ୍ରତି ଆକର୍ଷିତ ହୋଇଥିଲେ । କିନ୍ତୁ ସେ ଯେଉଁ ସୋସାଇଟିରେ ରହୁଥିଲେ ସେଠାରେ ତାଙ୍କୁ ସିନିୟରମାନେ ଖେଳିବାକୁ ସୁଯୋଗ ଦେଉ ନ ଥିଲେ । କେବଳ ଫିଲ୍ଡିଂ କରିବାକୁ କହୁଥିଲେ । ଆଜି ଏହି ଖେଳାଳୀଙ୍କ ପ୍ରଦର୍ଶନ ସାରା ଦୁନିଆ ଦେଖୁଛି ।

କରୁଣ ନାୟର: ନାୟରଙ୍କ ଜନ୍ମ ରାଜସ୍ଥାନ ଯୋଧପୁରରେ ହୋଇଛି । ଟେଷ୍ଟ କ୍ରିକେଟରେ ଟ୍ରିପଲ ସେଞ୍ଚୁରୀ ମାରିବାରେ ୩୨ ବର୍ଷୀୟ କରଣ ନାୟରଙ୍କ ନାମ ବୀରେନ୍ଦ୍ର ସେୱାଗଙ୍କ ପରେ ଆସିଥାଏ । ନାୟରଙ୍କ ନାମରେ ୬ ଟେଷ୍ଟ ମ୍ୟାଚ୍‌ରେ ହାରାହାରି ୬୨.୩୩ ଅର୍ଥାତ୍ ୩୭୪ ରନ୍ କରିଥିବାର ରେକର୍ଡ ରହିଛି । କିନ୍ତୁ ସେ ୨୦୧୭ ପରଠାରୁ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଦୂରେଇ ଯାଇଛନ୍ତି ।

ଆର.ପି ସିଂହ: ରାୟବରେଲୀରେ ଜନ୍ମ ଆରପି ସିଂହ ଆଜି ୩୮ ବର୍ଷରେ ପହଞ୍ଚିଛନ୍ତି । ୨୦୦୬ରେ ସେ ପାକିସ୍ତାନ ବିରୁଦ୍ଧରେ ଫୈସଲାବାଦ ଟେଷ୍ଟରେ ଡେବ୍ୟୁ କରିଥିଲେ । ସେ ନିଜର ପ୍ରଥମ ମ୍ୟାଚ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ୨୦୦୭ରେ ପ୍ରଥମ ଟି ୨୦ ୱାର୍ଲ୍ଡ କପ୍‌ରେ ଭାରତକୁ ଚାମ୍ପିଅନ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅବସର ପରେ ସେ ଏବେ କମେଣ୍ଟ୍ରୀ ଜଗତରେ ବେଶ୍ ନାଁ କମାଇ ପାରିଛନ୍ତି ।

Get real time updates directly on you device, subscribe now.