ମହମ୍ମଦ ଶାମୀଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର! ସରକାରଙ୍କୁ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ: ଚଳିତ ବର୍ଷର ଦିନିକିଆ ବିଶ୍ୱକପରେ ଭାରତ ଖୁବ ସୁନ୍ଦର ପ୍ରଦର୍ଶନ କରିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିବାରେ ବିଫଳ ହୋଇ ବିଶ୍ୱକପ ହାତଛଡ଼ା କରିଛି ଟିମ ଇଣ୍ଡିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଷ୍ଟାର ପେସର୍ ମହମ୍ମଦ ଶାମୀ । ବିଶ୍ୱକପରେ ଏଭଳି ବୋଲିଂ ପ୍ରଦର୍ଶନ ପାଇଁ ଏବେ ତାଙ୍କୁ ଏହାର ପ୍ରତିଦାନ ମିଳିବ । ଏହି ବୋଲିଂ ଫିଗର୍ ପାଇଁ ତାଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯିବା ନେଇ ଆଲୋଚନା ହେଉଛି ।

୨୦୨୩ ଦିନିକିଆ ବିଶ୍ୱକପରେ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଶାମୀ ୨୪ଟି ୱିକେଟ ନେଇ ସର୍ବାଧିକ ୱିକେଟ ଟେକର୍ ପାଲଟିଛନ୍ତି । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏଭଳି ପ୍ରଦର୍ଶନକୁ ନଜରରେ ରଖି ଅର୍ଜୁନ ପୁରସ୍କାର ପ୍ରଦାନ କରିବା ପାଇଁ ଶାମୀଙ୍କ ନାଁ ସୁପାରିଶ କରାଯାଇଛି । ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଖେଳ ପୁରସ୍କାର ଭାବରେ ରହିଛି ଅର୍ଜୁନ ପୁରସ୍କାର । ବର୍ତ୍ତମାନ ଶାମୀ ଅର୍ଜୁନ ପୁରସ୍କାର ପାଇବା ପାଇଁ ଚୟନ ହୋଇଥିବା ଖେଳାଳିମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି । ବିଶ୍ୱକପ ପ୍ରଦର୍ଶନ ପାଇଁ ଖେଳ ମନ୍ତ୍ରାଳୟକୁ ବିସିସିଆଇ ତରଫରୁ ବିଶେଷ କରି ତାଙ୍କ ନାମ ସୁପାରିଶ କରାଯାଇଛି ।

ରିପୋର୍ଟ ଅନୁସାରେ, ପ୍ରଥମେ ତାଙ୍କ ନାମ ଏହି ତାଲିକାରେ ନଥିବା ବେଳେ ବିସିସିଆଇ ସ୍ୱତନ୍ତ୍ର ଭାବରେ ଶାମୀଙ୍କ ନାମ ଏହି ତାଲିକାରେ ସାମିଲ କରିବାକୁ ସୁପାରିଶ କରିଛି । ବିଶ୍ୱକପରେ ମାତ୍ର ୭ଟି ମ୍ୟାଚ ଖେଳିଛନ୍ତି ମହମ୍ମଦ ଶାମୀ । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଶାମୀଙ୍କୁ ଦଳରେ ସ୍ଥାନ ମିଳିଥିଲା । କିନ୍ତୁ ଏହି ୭ଟି ମ୍ୟାଚରେ ସେ ଟୁର୍ଣ୍ଣାମେଣ୍ଟର ସମସ୍ତ ବୋଲରଙ୍କୁ ପଛରେ ପକାଇ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ଟି ୱିକେଟ ନେଇ ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ ଶାମୀ ।