ହାଇକୋର୍ଟ ବିଚାରପତି ପାଲଟିଗଲେ ବିଖ୍ୟାତ ତନ୍ତ୍ର ସାଧକ, କୋର୍ଟରେ ଏହି ଘଟଣା ବଦଳାଇ ଦେଲା ଜୀବନର ମୋଡ

କୋଲକାତା: କୋଲକାତା ହାଇକୋର୍ଟର ଜଣେ ବିଚାରପତି ଯିଏ କି ସବୁକିଛି ଛାଡି ତନ୍ତ୍ର ସାଧନାରେ ନିଜକୁ ନିମଗ୍ନ କରିଦେଇଥିଲେ । ପରେ ସେ ତନ୍ତ୍ର ବିଦ୍ୟାରେ ଏପରି ଦକ୍ଷତା ହାସଲ କଲେ ଯେ, ଏହା ଉପରେ ଡର୍ଜନ ଡର୍ଜନ ପୁସ୍ତକ ବି ଲେଖିଦେଲେ । ଏହି କାହାଣୀ ସାର୍ ଜନ୍ ଜର୍ଜ ଉଡ୍‌ରୋଫଙ୍କର । ସାର୍ ଜନ୍ ୧୫ ଡିସେମ୍ବର ୧୮୬୫ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଶିକ୍ଷା ଅର୍ଜନ କରିଥିଲେ । ୧୮୯୦ରେ ସେ ଭାରତ ଆସିଥିଲେ ଓ କୋଲକାତା ହାଇକୋର୍ଟରେ ଆଡଭୋକେଟ୍ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ଏହାର କିଛିଦିନ ପରେ ତାଙ୍କୁ କୋଲକତା ୟୁନିଭରସିଟିର ଫେଲୋ ଭାବରେ ନିଯୁକ୍ତ କରାଗଲା ଓ ପରେ ସେ ଲ’ ବିଭାଗର ପ୍ରଫେସର ହୋଇଥିଲେ ।

୧୯୦୨ରେ ବ୍ରିଟିଶ ସରକାର ତାଙ୍କୁ ନିଜର ଷ୍ଟାଣ୍ଡିଂ କାଉନସିଲ୍ କରି ଦେଇଥିଲେ ଓ ୧୯୦୪ରେ ତାଙ୍କୁ କୋଲକାତା ହାଇକୋର୍ଟର ଜଜ୍ ଭାବରେ ନିଯୁକ୍ତି ଦେଇଥିଲେ । ଏହାପରେ ସେ ସଂପୂର୍ଣ୍ଣ ଭାବରେ ବଦଳି ଯାଇଥିଲେ । ଏହି ସମୟରେ ତାଙ୍କର ତନ୍ତ୍ର ସାଧନା ପ୍ରତି ଆଗ୍ରହ ବଢିଥିଲା । ତନ୍ତ୍ର ବିଦ୍ୟା ସହ ଜଡିତ ବିଭିନ୍ନ ପୁସ୍ତକ ମଗାଇ ସେ ପଢିବାରେ ଲାଗିଲେ । ତେବେ ଏକ ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ଓ ସେ ବିଚାରପତିରୁ ପାଲଟିଗଲେ ଜଣେ ତନ୍ତ୍ର ସାଧକ ।

ଏକଦା ସେ ନିଜ କୋର୍ଟରେ ବସିଥିଲେ ଓ ତାଙ୍କୁ ଏକ ନିଷ୍ପତ୍ତି ଶୁଣାଇବାର ଥିଲା । କେସ୍ ବହୁତ ସହଜ ଥିଲା ଓ ଏପରି କେସ୍‌ରେ ସେ ନିଷ୍ପତ୍ତି ବହୁତ ଶୀଘ୍ର ଶୁଣାଇ ଦେଇଥାନ୍ତି । କିନ୍ତୁ ସେଦିନ କିଛି ଅଜବ ଘଟିଥିଲା । ଯେତେବେଳେ ସେ ନିଷ୍ପତ୍ତି ଲେଖିବାକୁ ବସିଥିଲେ ସେତେବେଳେ ଗୋଟିଏ ବି ଶବ୍ଦ ଲେଖିପାରି ନ ଥିଲେ । ତାଙ୍କ ମୁଣ୍ଡରେ କିଛି ବି ପଶୁ ନ ଥିଲା । ଏହାପରେ ସେ କୋର୍ଟର ଅନ୍ୟ ବିଚାରପତିଙ୍କ ସହ ନିଜର ଏପରି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଜଣାପଡିଥିଲା କି ମୋକଦ୍ଦମାରେ ଏକ ପକ୍ଷ ତନ୍ତ୍ର ବିଦ୍ୟା ଜାଣିଛନ୍ତି । ଯେଉଁ ସମୟରେ ସେ ନିଷ୍ପତ୍ତି ଲେଖୁଥିଲେ ସେହି ସମୟରେ ଜଣେ ବ୍ୟକ୍ତି କୋର୍ଟ ବାହାରେ ତନ୍ତ୍ର ସାଧନା କରୁଥିଲେ ଯା’ ଫଳରେ କି ନିଷ୍ପତ୍ତି ତାଙ୍କ ସପକ୍ଷରେ ଆସିବ ।

ଉଡ୍‌ରୋଫ ତୁରନ୍ତ ନିଜ ଷ୍ଟାଫ୍‌ଙ୍କୁ ସେହି ତାନ୍ତ୍ରିକକୁ ଧରି ଆଣିବା ପାଇଁ ପଠାଇଥିଲେ । କିନ୍ତୁ ସେତେବେଳକୁ ସେ ସେଠାରୁ ଫେରାର ହୋଇଯାଇଥିଲା । ତନ୍ତ୍ର ସାଧନାର ଏହି ବିଦ୍ୟାକୁ ଅଭିଚାର ବା ସ୍ତମ୍ଭନ କୁହାଯାଏ । ଏହି ଘଟଣା ଉଡ୍‌ରୋଫଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହାପରେ ସେ ତନ୍ତ୍ର ସାଧନା ସହ ସମ୍ବନ୍ଧିତ କିଛି ପୁସ୍ତକ ମଗାଇ ପଢିଥିଲେ । କୁଣ୍ଡଳୀ ଯୋଗ ଅଧ୍ୟୟନ ଆରମ୍ଭ କରିଥିଲେ । ଅଧିକାଂଶ ପୁସ୍ତକ ସଂସ୍କୃତରେ ଥିବାରୁ ସେ ପ୍ରଥମେ ସଂସ୍କୃତ ଶିଖିଥିଲେ । ଉଡ୍‌ରୋଫ ପରେ ଅର୍ଥର ଆଭାଲନ୍ (ଛଦ୍ମ)ନାମରେ ତନ୍ତ୍ର ବିଦ୍ୟା ଓ ତନ୍ତ୍ର ସାଧନାର ଅନେକ ପୁସ୍ତକ ଲେଖିଥିଲେ । ସେ ବହୁ ତନ୍ତ୍ର ପୁସ୍ତକ ଅନୁବାଦ ବି କରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ‘ଇଣ୍ଟ୍ରଡକସନ୍ ଟୁ ତନ୍ତ୍ର ଶାସ୍ତ୍ର’ ଆଜି ବି ତନ୍ତ୍ର ଦୁନିଆରେ ବହୁ ପ୍ରତିଷ୍ଠିତ ପୁସ୍ତକ ଭାବରେ ବିବେଚିତ ।