fbpx

ପୁଣି ୫ଟି ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଅର୍ଥକୁ ନେଇ ସୂଚନା ଜାରି କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ: ନିୟମ ଅବମାନନା କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ବ୍ୟାଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଏପରି କିଛି କାରଣରୁ ନିକଟରେ କିଛି ବ୍ୟାଙ୍କ ଉପରେ ଆକ୍ସନ ନିଆଯାଇଥିବା ବେଳେ ପୁଣି ୫ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକର ଗ୍ରାହକଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ମୁତାବକ, ନିୟମକୁ ଅଣଦେଖା କାରଣରୁ ପୁଣି ଥରେ ୫ଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇ ଆକ୍ସନ ନେଇଛି । ସେହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ଗୁଜରାଟ ସ୍ଥିତ ଦି କଚ୍ଛ ମର୍ଚ୍ଚାଣ୍ଟାଇଲ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ, ମହାରାଷ୍ଟ୍ରର ଥାନେର ଦି ଥାନେ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ, ଭାବର ବିଭାଗ ନାଗରିକ ସମବାୟ ବ୍ୟାଙ୍କ, ପ୍ରୋଗ୍ରେସିଭ ମର୍ଚ୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଓ ଶ୍ରୀ ମୋରବୀ ନାଗରିକ ସମବାୟ ବ୍ୟାଙ୍କ ରହିଛି । ଏହି ସବୁ ବ୍ୟାଙ୍କଗୁଡ଼ିକ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଅଲଗା ଅଲଗା କାରଣରୁ ଆରବିଆଇ ଜରିମାନା ଲାଗୁ କରିଥିବା ଜଣାପଡ଼ିଛି ।

ଦି କଚ୍ଛ ମର୍ଚ୍ଚାଣ୍ଟାଇଲ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ ଓ ମହାରାଷ୍ଟ୍ରର ଥାନେର ଦି ଥାନେ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ ଉପରେ ୨ ଲକ୍ଷ ଲେଖାଏଁ, ଭାବର ବିଭାଗ ନାଗରିକ ସମବାୟ ବ୍ୟାଙ୍କ ଓ ଶ୍ରୀ ମୋରବୀ ନାଗରିକ ସମବାୟ ବ୍ୟାଙ୍କ ଉପରେ ୫ ହଜାର ଲେଖାଏଁ, ପ୍ରୋଗ୍ରେସିଭ ମର୍ଚ୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଉପରେ ୭ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ତେବେ ବ୍ୟାଙ୍କଗୁଡ଼ିକ ଦ୍ୱାରା ନିୟମ ଅବମାନନା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଜରିମାନା ଲାଗୁ ହେବା ଫଳରେ ଗ୍ରାହକଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପଡ଼ିବ ନାହିଁ କି ବ୍ୟାଙ୍କର ଅପରେସନ ବାଧାପ୍ରାପ୍ତ ହେବ ନାହିଁ । ଗ୍ରାହକଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଆରବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.