ନୂଆଦିଲ୍ଲୀ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଜିଅନ୍ତା ଜାଳିଲା ପ୍ରେମିକ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ । ତେବେ ଜଣେ ଟ୍ରାନ୍ସମ୍ୟାନ ବା ତୃତୀୟ ଲିଙ୍ଗୀ ପୁରୁଷ ତାଙ୍କର ଜଣେ ପୂର୍ବତନ ବାନ୍ଧବୀ ତାଙ୍କୁ ବିବାହ ପାଇଁ ମନା କରିବା ପରେ ତାଙ୍କୁ ନିଆଁରେ ଜାଳି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ମୃତ ମହିଳା ଜଣଙ୍କ ହେଲେ ନନ୍ଦିନୀ ଏବଂ ଅଭିଯୁକ୍ତ ଜଣଙ୍କ ହେଲେ ଭେତ୍ରିମରନ । ଭେତ୍ରିମରନ ମଦୁରାଇର ବାସିନ୍ଦା ଏବଂ ବିଗତ କିଛି ମାସ ହେବ ସେ ଥୋରାଇପକ୍କମର ଏକ ସପ୍ଟୱେର କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ଭେତ୍ରିମରନ ଏବଂ ନନ୍ଦିନୀ କମ୍ପାନୀରେ ହିଁ ଦେଖା ହୋଇଥିଲେ । ତେବେ ଧୀରେ ଧୀରେ ସେମାନପଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ତେବେ କିଛି ଦିନ ତଳେ ଭେତ୍ରିମରନ ନନ୍ଦିନୀଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । କିନ୍ତୁ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।
ଏପରିକି ଭେତ୍ରିମରନ ନନ୍ଦିନୀଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଅନ୍ୟପକ୍ଷରେ ନନ୍ଦିନୀ ଆଉ କାହା ସହ ନୂତନ ସମ୍ପର୍କ ଯୋଡ଼ିଥିବା ଶୁଣିବାକୁ ମିଳିଥିଲା ।
ଭେତ୍ରିମରନ ଏହାର ପ୍ରତିଶୋଧ ନେବା ପାଇଁ ଚାହିଁଥିଲେ । ସେ ନନ୍ଦିନୀଙ୍କୁ ତାଙ୍କ ଜନ୍ମଦିନରେ ସର୍ପ୍ରାଇଜ ଦେବା ବାହାନାରେ ଏକ ଖାଲି ସ୍ଥାନକୁ ଡାକି ନେଇଥିଲେ । ତେବେ ସେଠାରେ ତାଙ୍କୁ ପ୍ରଥମେ ଜଞ୍ଜିରରେ ବାନ୍ଧି ଦେଇଥିଲେ । ପରେ ତାଙ୍କ ହାତ, ଗୋଡ଼ ଏବଂ ଗଳାରେ ବ୍ଲେଡ଼ରେ ଆଘାତ କରିଥିଲେ । ଏହା ପରେ ତାଙ୍କୁ ନିଆଁ ଲଗାଇ ଦେଇଥିଲେ ।
ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନନ୍ଦିନୀଙ୍କର ଅଧା ଜଳିଥିବା ଶରୀରକୁ ଉଦ୍ଧାର କରିଥିଲା । ଏଥି ସହିତ ୨୭ ବର୍ଷୀୟ ଭେତ୍ରିମରନଙ୍କୁ ଗିରଫ କରିଛି ପୁଲିସ । ତେବେ ଏହି ଘଟଣାରେ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି ।