କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ହିଜାବ ଉପରେ ଲାଗିଥିବା କଟକଣା ହଟାଇବାକୁ ଦାବି କଲେ ଓୱେସି

ଓଡ଼ିଶା ଭାସ୍କର: କର୍ଣ୍ଣାଟକ କଂଗ୍ରେସ ସରକାର ହିଜାବ ନିଷେଧାଦେଶ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ସୋମବାର ଦାବି କରିଛନ୍ତି। କଂଗ୍ରେସ ଗତ ୭ମାସ ଧରି କର୍ଣ୍ଣାଟକରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ କେବଳ ଏକ ଆଦେଶ ଜାରି କରିବାକୁ ପଡିବ ଯେଉଁଥିରେ ଦର୍ଶାଯିବ ଯେ ଲୋକମାନେ ଯାହା ଚାହିଁବେ ପିନ୍ଧିବେ, କୌଣସି ଡ୍ରେସ୍ କୋଡ୍ ରହିବ ନାହିଁ … ଏପରି ଆଦେଶ ଜାରି କରିବାକୁ ଡରୁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା।

ସେପଟେ ବିଆରଏସ ବିଧାୟକ କେ କବିତା ହିଜାବ ବିବାଦକୁ ନେଇ ସୋମବାର କଂଗ୍ରେସ କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଦଳ ଦ୍ୱନ୍ଦ୍ୱରେ ଅଛି ଏବଂ ସେମାନେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରୁନାହିଁ । କଂଗ୍ରେସ ନିର୍ବାଚନ ଜିତିବା ମାତ୍ରେ ସବୁ ପ୍ରତିଶ୍ରୁତି ଭୁଲିଯାଏ। ସେମାନେ କର୍ଣ୍ଣାଟକରେ ୬ଟି ଗ୍ୟାରେଣ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି କରାଯାଇନାହିଁ ବୋଲି କେ. କବିତା କହିଛନ୍ତି।

କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ କଟକଣା ହଟାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏବେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେମାନେ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କାର୍ଯ୍ୟକାରୀ କରନ୍ତି ନାହିଁ। ଏହା ସେମାନଙ୍କ ଡିଏନଏରେ ରହିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସିଦ୍ଧରମୈୟା ଶୁକ୍ରବାର ଘୋଷଣା କରିଥିଲେ ଯେ ବିଜେପି ଦ୍ୱାରା ଲାଗୁ କରାଯାଇଥିବା ହିଜାବ ନିଷେଧାଦେଶ ପ୍ରତ୍ୟାହାର କରିବେ, ପୋଷାକ ଏବଂ ଖାଦ୍ୟରେ ଲୋକଙ୍କ ପସନ୍ଦକୁ ନେଇ କୌଣସି ରାଜନୀତି କରାଯିବା ଉଚିତ୍ ନୁହେଁ । ଶନିବାର ମୁଖ୍ୟମନ୍ତ୍ରୀ ନିଜ ବୟାନକୁ ଦୋହରାଇ କହିଛନ୍ତି ଯେ ଏହି ନିଷ୍ପତ୍ତି ବିଚାରାଧୀନ ଅଛି ଏବଂ ସରକାର ଏହା ଉପରେ ଆଲୋଚନା କରିବେ।