ନୂଆଦିଲ୍ଲୀ: ଭଗବାନ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ଶ୍ରୀ ରାମ(ରାମ ଲଲ୍ଲା)ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସାହିତ ଅଛନ୍ତି ସମଗ୍ର ଦେଶବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ଯୋଗ ଦେବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ ମଧ୍ୟ କରାଯାଇଛି । ତେବେ ଆଯେଧ୍ୟାରେ ଏହି ଭବ୍ୟ ଉତ୍ସବକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଅବକାରୀ ବିଭାଗ ପକ୍ଷରୁ ବଡ଼ ନଷ୍ପତ୍ତି ନିଆଯାଇଛି ।
ଉତ୍ତରପ୍ରଦେଶ ଅବକାରୀ ବିଭାଗର ମନ୍ତ୍ରୀ ନିତିନ ଅଗ୍ରୱାଲ ଅଯୋଧ୍ୟା ଗସ୍ତ ସମୟରେ ଶ୍ରୀ ରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ ଭେଟିଥିଲେ । ସେମାନେ ଅନେକ ବିଷୟ ଉପରେ ଚର୍ଚ୍ଚା ମଧ୍ୟ କରିଥିଲେ । ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ୮୪ କୋସ ପରିକ୍ରମା ଅଂଚଳକୁ ମଦମୁକ୍ତ ରଖିବା ପାଇଁ ଟ୍ରଷ୍ଟର ମହାସଚିବଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ୮୪ କୋସ ପରିକ୍ରମା ଅଂଚଳରେ ଥିବା ସମସ୍ତ ମଦ ଦୋକାନକୁ ହଟାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଏହି ମାର୍ଗରେ ଥିବା ସମସ୍ତ ମଦ ଦୋକାନକୁ ଅନ୍ୟତ୍ର ଥଇଥାନ୍ କରାଯିବା ନେଇ ସୂଚନା ମିଳିଛି ।