ନୂଆଦିଲ୍ଲୀ: ନୂଆବର୍ଷ ୨୦୨୪ ପାଦ ଦେବାକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ଏହା ମଧ୍ୟରେ ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘଦିନ ଧରି ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିପାରେ । ଆସନ୍ତା ବର୍ଷ ମଧ୍ୟଭାଗରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନୂଆ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି ।
ଏକ ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉଭୟ ଦରରେ ୮-୧୦ ଟଙ୍କା ହ୍ରାସ କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନ ଲାଭ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ତୈଳ ଦର ହ୍ରାସ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ବିକଳ୍ପ ପ୍ରସ୍ତୁତ କରାଯାଇଛି । କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହା ଉପରେ ମଞ୍ଜୁରୀ ପ୍ରଦାନ କରିବା ବାକି ରହିଛି ।
ଗତ କିଛିବର୍ଷ ହେଲା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଉଭୟ ଦାମ୍ ବହୁ ସମୟ ଧରି ଅପରିବର୍ତ୍ତିତ ରହିଛି । କେନ୍ଦ୍ର ସରକାର ଏନେଇ ତେଲ କମ୍ପାନୀମାନଙ୍କ ସହିତ ଆଲୋଚନା କରୁଛନ୍ତି । ତେବେ ପେଟ୍ରୋଲ-ଡିଜେଲ ଦାମ ୬-୧୦ ଟଙ୍କା ହ୍ରାସ ପାଇପାରେ ବୋଲି କିଛି ମିଡ଼ିଆରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭୮.୭୧ ଡଲାରରେ ପହଞ୍ଚିଛି । ଦେଶରେ ତୈଳ ଦର ଅନ୍ତର୍ଜାତୀୟ ସ୍ତରର ଦାମ୍ ଉପରେ ନିର୍ଭର କରିଥାଏ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଲାଗୁ କରୁଥିବା ବେଳେ ରାଜ୍ୟ ସରକାରମାନେ ଭ୍ୟାଟ୍ ଲାଗୁ କରିଥାନ୍ତି ।