ଓଡ଼ିଶା ଭାସ୍କର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ତିନି ଜଣ କନିଷ୍ଠ ମନ୍ତ୍ରୀ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ପର୍ଯ୍ୟଟନ ପାଇଁ ସମସ୍ୟା ସୃଷ୍ଟି କରିଛି। ମାଳଦ୍ୱୀପ ଭାରତୀୟ ପର୍ଯ୍ୟଟକଙ୍କୁ ବହିଷ୍କାରର ସମ୍ମୁଖୀନ ହେଉଛି। ପର୍ଯ୍ୟଟନ ହେଉଛି ଦେଶର ରୋଜଗାରର ସବୁଠାରୁ ଶକ୍ତିଶାଳୀ ଉତ୍ସ। ଗତବର୍ଷ ମାଳଦ୍ୱୀପକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟମାନେ ସବୁଠୁ ବେଶି ଥିଲେ। ଦେଶର ଅର୍ଥନୀତିରେ ପର୍ଯ୍ୟଟନର ଯୋଗଦାନ ପ୍ରାୟ ଏକ ତୃତୀୟାଂଶ। ଗତବର୍ଷ ମାଳଦ୍ୱୀପ ସରକାରଙ୍କ ତଥ୍ୟ କହୁଛି ଯେ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତ ସବୁଠୁ ଆଗରେ ରହିଛି।
ଦେଶର ଅର୍ଥନୀତିର ଏକ ତୃତୀୟାଂଶ ପର୍ଯ୍ୟଟନରୁ ହିଁ ଆସିଥାଏ। ମାଳଦ୍ୱୀପର ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘କ୍ଲାଉନ୍, ଆତଙ୍କବାଦୀ’ ଏବଂ ‘ଇସ୍ରାଏଲର କଣ୍ଢେଇ’ କହିବା ପରେ ବିବାଦ ବଢିଯାଇଥିଲା ଏବଂ ବର୍ତ୍ତମାନ ମାଳଦ୍ୱୀପ ସରକାର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ମାଳଦ୍ୱୀପ ମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାରତୀୟଙ୍କ କ୍ରୋଧ ସୃଷ୍ଟି କରିଥିଲା ଏବଂ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ମାଳଦ୍ୱୀପକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ବିବାଦ ବଢିବାରୁ ମନ୍ତ୍ରୀମାନେ ସେମାନଙ୍କ ବିବାଦୀୟ ପୋଷ୍ଟ ସବୁକୁ ଡିଲିଟ୍ କରିଦେଇଥିଲେ ଏବଂ ଦେଶର ବୈଦେଶିକ ମନ୍ତ୍ରଣାଳୟକୁ ଏକ ବିବୃତି ଜାରି କରିବାକୁ ପଡିଥିଲା ଯେ ଏହା ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ମତ ଏବଂ ଏହା ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରେ ନାହିଁ।
ଦେଖିବାକୁ ଗଲେ ମାଳଦ୍ୱୀପରେ ପ୍ରାୟ ୧୨୦୦ କୋରାଲ ଦ୍ୱୀପ ଏବଂ ଆଟୋଲ୍ ରହିଛି। ଭାରତର ୧୪୦ କୋଟି ଜନସଂଖ୍ୟା ତୁଳନାରେ ଏଠାକାର ଜନସଂଖ୍ୟା ପାଖାପାଖି ୫ ଲକ୍ଷ ୨୦ ହଜାର ମାଳଦ୍ୱୀପ ଏକ କ୍ଷୁଦ୍ର ଦେଶ, ଏହାର ଅଧିକାଂଶ ଆବଶ୍ୟକତା, ଭିତ୍ତିଭୂମି ନିର୍ମାଣ ଏବଂ ବୈଷୟିକ ଉନ୍ନତି ପାଇଁ ଏହା ଏହାର ପଡ଼ୋଶୀ ଭାରତ ଉପରେ ନିର୍ଭରଶୀଳ।