fbpx

ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା: ୧୨.୨୦ରେ ଆରମ୍ଭ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେବାକୁ ଥିବା ପୂଜନ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଯିବ । ଏଥିସହିତ ୧୮ ତାରିଖରେ ମୂର୍ତ୍ତି ମନ୍ଦିର ଗର୍ଭଗୃହରେ ପହଞ୍ଚିଯିବ । ଏହି ମୂର୍ତ୍ତି ପଥରରେ ନିର୍ମିତ ହୋଇଥିବା ବେଳେ ତା’ର ରଙ୍ଗ କଳା ରହିଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟ ଏ ବାବଦରେ ସୂଚନା ଦେଇଛନ୍ତି ।

ଏହି ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଶହ ଶହ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । ଏହି ଦିବସରେ ନିଜ ନିଜ ଘରେ ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଗର୍ଭଗୃହରେ ସୁନାର କବାଟ ଲାଗିଛି । ମନ୍ଦିରର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସୁନାର କବାଟ ଲାଗିଛି । ଏଥିସହିତ ମନ୍ଦିରର ଗର୍ଭଗୃହକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି ।

୨୫ ଫୁଟ ଦୂରରୁ ଶ୍ରଦ୍ଧାଳୁମାନେ ଭଗବାନଙ୍କ ରାମ ଛବିକୁ ଦେଖିପାରିବେ । ଜାନୁଆରୀ ମାସ ୧୮ ତାରିଖରେ ରାମଙ୍କର ପ୍ରତିମାକୁ ଆସନରେ ରଖାଯିବ । ଗୋଟିଏ ୫ ବର୍ଷର ଶିଶୁର ସ୍ୱରୂପ ପରି ଭଗବାନ ରାମଙ୍କ ପ୍ରତିମାକୁ ନିର୍ମାଣ କରାଯାଇଛି, ତାହାର ଓଜନ ୧୨୦-୨୦୦ କିଲୋଗ୍ରାମ ହେବ । କର୍ମକାଣ୍ଡର ସମସ୍ତ ବିଧି ବାରାଣସୀର ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦ୍ୱାରା ସମ୍ପନ୍ନ ହେବ । ୧୫୦ରୁ ଅଧିକ ପରମ୍ପରାର ସନ୍ଥ ଏହି ଉତ୍ସବରେ ଉପସ୍ଥିତ ରହିବେ । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ, ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ, ନୃତ୍ୟ ଗୋପାଳ ଦାସ, ସମସ୍ତ ଟ୍ରଷ୍ଟି ଉପସ୍ଥିତ ରହିବେ ବୋଲି ଚମ୍ପତ ରାୟ କହିଛନ୍ତି ।

Get real time updates directly on you device, subscribe now.