(Video) ମୁଁ ଛୋଟ ଡ୍ରେସ୍ ପିନ୍ଧୁଥିଲି, ପିନ୍ଧିବି, ଆହୁରି ରିଲ୍ସ କରିବି: ‘ବାମ୍ଫ’କୁ ପୂରା ବାମ୍ଫ ଦେଇ ଛାଡ଼ିବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ସ୍ଥାନ ଇନ୍ଦିରା ଗାନ୍ଧି (ଆଇଜି) ପାର୍କ ନିକଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି । ଦୁଇଜଣ ଯା’ଙ୍କର ହାତ ତିଆରି ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଏହି ଦୁଇ ମହିଳାଙ୍କର ‘କାର-ଖାନା’ର ସ୍ୱସ୍ୱାଦୁ ଖାଦ୍ୟ ଯିଏ ଖାଉଛି ସିଏ ପ୍ରଶଂସା କରୁଛି । ଏପରିକି ଜଟଣୀ ବିଧାୟକ ସୁର ରାଉତରାୟ ତଥା ସଭିଙ୍କ ପ୍ରିୟ ସୁର ଭାଇ ମଧ୍ୟ ‘କାର-ଖାନା’ ଖାଦ୍ୟକୁ ଓ ଦୁଇ ଯା’ଙ୍କ ଏପରି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ତେବେ ଆଜି ଶାମ୍ବ ଦଶମୀ ଥିବାବେଳେ ଲୋକମାନେ ଏହି ଦୁଇ ଯା’ଙ୍କ ହାତ ତିଆରି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଆସି ନିରାଶ ହୋଇ ଫେରିଥିଲେ । ଗତକାଲି ଆଇଜି ପାର୍କ ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅଧିକାରୀମାନେ ପହଞ୍ଚି ତଦାରଖ କରିଥିଲେ । ଏହା ମଧ୍ୟରେ ‘କାର-ଖାନା’କୁ ନେଇ ସୋସିଆଲ ମିଡ଼ିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସେନେଇ ଏହି ଦୁଇ ଯା’ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେମାନେ କହିଛନ୍ତି, ଆମର ବ୍ୟକ୍ତିଗତ ତଥ୍ୟକୁ ନେଇ ‘ବାମ୍ଫ’ ନାମକ ଏକ ଚାନେଲ ଭିଡିଓ ଭିଡିଓ ପ୍ରସ୍ତୁତ କରିଛି । ଏହା ଆଦୌ ଠିକ୍ ନୁହେଁ । ସେହି ଭିଡିଓରେ ଅଶ୍ଲୀଳ ଭାଷା ପ୍ରୟୋଗ କରାଯାଇଛି । ଯେତେ ପ୍ରତିବନ୍ଧକ ଆସିଲେ ବି ଆମେ ଏହି କାର୍ଯ୍ୟ ବନ୍ଦ କରିବୁ ନାହିଁ । ବିଏମସି ଓ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ର ସମସ୍ତ ନିୟମକୁ ଆମେ ମାନିବାକୁ ପ୍ରସ୍ତୁତ ଅଛୁ । ଏହି କାମ ପାଇଁ ଆମେ ୨୦ ଜଣ ସ୍ତ୍ରୀଲୋକଙ୍କୁ ଚାକିରି ଦେଇ ସାରିଛୁ । ଯେତେବେଳେ ଏହା ବନ୍ଦ ହୋଇଗଲା ସେମାନଙ୍କୁ କ’ଣ ଉତ୍ତର ଦେବୁ ସେଥିପାଇଁ ଚିନ୍ତିତ ହୋଇ ପଡ଼ିଥିଲୁ ।