fbpx
BJD SKY
BJD SKY

Wings India-2024: ବିମାନ ସଂଯୋଗୀକରଣରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲା ଓଡ଼ିଶା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରିବା ସହିତ ଦେଶ-ବିଦେଶରେ ବହୁ ସୁନାମ ଅର୍ଜନ କରିଛି । ତେବେ ପୁଣି ଥରେ ଜାତୀୟସ୍ତରରେ ଚମକିଛି ଓଡ଼ିଶା । ବିମାନ ସଂଯୋଗୀକରଣ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଓଡ଼ିଶା । ଏନେଇ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ୱିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା ମିଳିଛି ।

ବର୍ତ୍ତମାନ ସମୟରେ ଓଡ଼ିଶା ବିମାନ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ରାଜ୍ୟର କଳାହାଣ୍ଡିର ଉତକେଲା, ମାଲକାନଗିରି, ଝାରସୁଗୁଡ଼ା, ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ହେବା ସହିତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରୀମାନେ ମାତ୍ର କେଇ ଘଣ୍ଟା ମଧ୍ୟରେ ବିମାନରେ ପହଞ୍ଚି ପାରୁଛନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ଲାଭ କରିଛି । ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ଓଡ଼ିଶା ଆଜି ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛି ।

ଓଡ଼ିଶାର ଏହି ଭିନ୍ନ ପ୍ରୟାସକୁ ଆଜି ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଗୌରବର ବିଷୟ । କେବଳ ରାଜ୍ୟ ରାଜ୍ୟ ମଧ୍ୟରେ ନୁହେଁ ବରଂ ସାରା ବିଶ୍ୱକୁ ଆକାଶମାର୍ଗରେ ଯୋଡ଼ିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ଚଳପ୍ରଚଳ ହୋଇପାରିଛି । ଆଗାମୀ ଦିନରେ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସିଧାସଳଖ ବିମାନସେବା ଆରମ୍ଭ ହେବ । ଏହାଫଳରେ ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବା ସହ ରାଜ୍ୟ ଆର୍ଥିକ କ୍ଷେତ୍ରରେ ଆହୁରି ଆଗକୁ ଅଗ୍ରସର ହୋଇପାରିବ ।

Get real time updates directly on you device, subscribe now.