fbpx

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସଙ୍ଗ: ଇଭିଏମ କିଣିବାକୁ ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ନୂଆଦିଲ୍ଲୀ: ‘ଏକ ଦେଶ- ଏକ ନିର୍ବାଚନ’କୁ ନେଇ ଦେଶରେ ଦୀର୍ଘଦିନ ହେଲା ବିବାଦ ଜାରି ରହିଛି । କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ସପକ୍ଷରେ ରହିଥିବା ବେଳେ ବିରୋଧୀମାନେ ଏହାର ବୁରୁଦ୍ଧରେ ରହିଛନ୍ତି। କିନ୍ତୁ ଏସବୁ ପରେ ବି, ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଆୟୋଗ କହିଛି ଯେ ଏହାକୁ ଲାଗୁ କରିବାକୁ ହେଲେ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ଆଉ ସବୁଠୁ ବଡ଼ କଥା ହେଉଛି ଯେ, ଏହି ପ୍ରକ୍ରିୟାରେ ନିର୍ବାଚନ ହେଲେ ଇଭିଏମ କିଣିବାକୁ ୧୦,୦୦୦ କୋଟି ଖର୍ଚ୍ଚ ହେବ। ଏହାକୁ ନେଇ ନିର୍ବାଚନ ଆୟୋଗ କହିଛନ୍ତି, ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋ ନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ।

ଏକ ଚିଠିରେ ଆୟୋଗ କହିଛନ୍ତି ଇଭିଏମ ବ୍ୟବହାର କରିବାର ଅବଧି ୧୫ ବର୍ଷ ଏବଂ ଯଦି ‘ଏକକାଳୀନ ନିର୍ବାଚନ’ ଅନୁଷ୍ଠିତ ହୁଏ ତେବେ ଏହି ସମୟ ମଧ୍ୟରେ ତିନିଥର ନିର୍ବାଚନ କରିବା ପାଇଁ ଗୋଟିଏ ମେସିନ ବ୍ୟବହାର କରାଯାଇପାରିବ। ହେଲେ ଆକଳନ ଅନୁଯାୟୀ ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ମୋଟ ୧୧.୮୦ ଲକ୍ଷ ମତଦାନ କେନ୍ଦ୍ର ଆବଶ୍ୟକ ହେବ। ଯଦି ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବ, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦୁଇଟି ସେଟ ଇଭିଏମ ଆବଶ୍ୟକ ହେବ। ଗୋଟିଏ ଲୋକସଭା ଆସନ ପାଇଁ ଏବଂ ଅନ୍ୟଟି ବିଧାନସଭା ଆସନ ପାଇଁ। ସରକାରଙ୍କୁ ପଠାଯାଇଥିବା ଏହି ଚିଠିରେ ଆୟୋଗ କହିଛନ୍ତି ଯେ ଅତୀତର ଅଭିଜ୍ଞତା ଆଧାରରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ‘କଣ୍ଟ୍ରୋଲ ୟୁନିଟ’, ‘ବାଲାଟ ୟୁନିଟ’ (ବିୟୁ) ଏବଂ ‘ଭୋଟର’ ଯାଞ୍ଚଯୋଗ୍ୟ ପେପର ଅଡିଟ ଟ୍ରେଲ ’(ଭିଭିପାଟ) ଯନ୍ତ୍ରଗୁଡ଼ିକ ମଧ୍ୟ ଆବଶ୍ୟକ।

ସୂଚନା ଥାଉକି, ସ୍ୱାଧିନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା । ଏହାପରେ ୧୯୬୮ ଓ ୧୯୬୯ରେ କିଛି ବିଧାନସଭାକୁ ସମୟ ପୂର୍ବରୁ ଭଙ୍ଗ କରି ଦିଆଯାଇଥିଲା । ତା’ପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ କରି ଦିଆଯିବା ସହ ନିର୍ବାଚନ ପରମ୍ପରା ଭାଙ୍ଗି ଯାଇଥିଲା । ୨୦୧୮ ମସିହା ଅଗଷ୍ଟରେ ‘ଏକ ଦେଶ- ଏକ ନିର୍ବାଚନ’ ଆଇନ କମିଶନ ରିପୋର୍ଟ ଆସିଥିଲା । ଦେଶରେ ଗୋଟିଏ ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରେ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହେବା ନେଇ କୁହାଯାଇଥିଲା । ମାତ୍ର ଏଥିପାଇଁ କିଛି ବିଧାନସଭାର କାର୍ଯ୍ୟକାଳ ବଢ଼ାଇବାକୁ ପଡ଼ିବ, ଆଉ କିଛି ସମୟ ପୂର୍ବରୁ ଭଙ୍ଗ କରିବାକୁ ପଡ଼ିବ । ହେଲେ ସମ୍ବିଧାନ ସଂଶୋଧନ ନହେଲେ ଏହାସବୁ ସମ୍ଭବ ହେବନାହିଁ ।

Get real time updates directly on you device, subscribe now.