fbpx
BJD SKY
BJD SKY

ସମ୍ବଲପୁରରେ ହେବ ହାଇଭୋଲଟେଜ୍ ଫାଇଟ୍: ନଗେନ୍ଦ୍ରଙ୍କ ଅଚାନକ ଏଣ୍ଟ୍ରି ଲଢ଼େଇକୁ କରିଦେଲା ଅଧିକ ରୋଚକମୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଏଥର ରାଜ୍ୟର ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢ଼େଇ । ଏହି ଆସନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରୁ କିଏ ବାଜିମାତ କରିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ନିକଟରେ ଅଚାନକ ହାତ ଧରିଥିବା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା କଂଗ୍ରେସ । ତେଣୁ ନଗେନ୍ଦ୍ର ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ସମ୍ବଲପୁର ଆସନରେ ଏବେ କିଏ ଜିତିବ ତାହା କହିବା କଷ୍ଟକର ।

ପୂର୍ବରୁ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ପରି ଦୁଇ ହେଭିୱେଟଙ୍କ ମଧ୍ୟରେ ହେବାକୁ ଥିବା ମେଗା ଫାଇଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅଚାନକ ନଗେନ୍ଦ୍ର ଏହି ମୈଦାନକୁ ଲମ୍ଫ ପ୍ରଦାନ କରିବା ଏହି ଲଢ଼େଇ ଆହୁରି ରୋଚକପୂର୍ଣ୍ଣ ହୋଇଯାଇଛି । ଧର୍ମେନ୍ଦ୍ର ଦୀର୍ଘ ବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ରହିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ବିଜେଡିର ୩ ନମ୍ବର ପାୱାରଫୁଲ ନେତା ଭାବେ ପରିଚିତ । ଏବେ ନଗେନ୍ଦ୍ରଙ୍କ ପରି ଜଣେ ବଡ଼ ବ୍ୟାଟ୍ସମ୍ୟାନ କ୍ରିଜକୁ ଆସିବା ପରେ କିଏ ଜିତିବ ତାହାକୁ ନେଇ ଏବେ ଆକଳନ କରିବା କଷ୍ଟକର ।

ନଗେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଠମଲ୍ଲିକ ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ବିଜେଡିରୁ ବିଧାୟକ ଓ ସାଂସଦ ହୋଇଥିବା ନଗେନ୍ଦ୍ର ଏଥର କଂଗ୍ରେସ ତରଫରୁ ନିର୍ବାଚନ ଲଢ଼ିବେ । ଗତ ୧୫ ବର୍ଷର ସମ୍ବଲପୁର ରାଜନୀତି ଉପରେ ନଜର ପକାଇଲେ ଜଣାପଡ଼ୁଛି, ସେଠାରେ ପ୍ରତି ୫ ବର୍ଷରେ ଥରେ ଭୋଟରମାନେ ସାଂସଦଙ୍କୁ ବଦଳାଇଥାନ୍ତି । ୨୦୦୯ରେ କଂଗ୍ରେସର ପ୍ରାର୍ଥୀ ଅମରନାଥ ପ୍ରଧାନଏହି ଆସନରୁ ସାଂସଦ ହୋଇଥିବା ବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ । ସେହିପରି ୨୦୧୯ରେ ଭୋଟରଙ୍କ ମନ ପରିବର୍ତ୍ତନ ହେବା ସହ ନୀତିଶେ ଗଙ୍ଗଦେବ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଗତ ୩ଟି ନିର୍ବାଚନରେ ବିଜୟୀ ସାଂସଦମାନେ ମାତ୍ର ୯-୩୧ ହଜାର ଭୋଟ ବ୍ୟବଧାନରେ ଜିତିଥିବାରୁ ଏଥର ଏଠାରୁ କିଏ ଜିତିବ ତାହା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି ।

Get real time updates directly on you device, subscribe now.