fbpx

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ହୋଇପାରେ ବଡ଼ ଘୋଷଣା: ଦେଶବାସୀଙ୍କୁ ମିଳିପାରେ ଦୁଇଟି ବଡ଼ ଉପହାର

ନୂଆଦିଲ୍ଲୀ: ନୂଆ ବର୍ଷରେ ମୋଦୀ ସରକାର କର୍ମଚାରୀଙ୍କୁ ଦୁଇଟି ବଡ଼ ଫାଇଦା ଦେଇପାରନ୍ତି । ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଥାନ୍ତି । ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି ।

ତେବେ ସୂଚନା ମୁତାବକ, ୨୦୨୪ ବର୍ଷ ଜାନୁଆରୀ-ଜୁନ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି । ଆସନ୍ତା ବର୍ଷ ଏପ୍ରିଲ- ମେ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ତେବେ କେନ୍ଦ୍ର ସରକାର ନୂଆ ବର୍ଷ ଆରମ୍ଭରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏହି ଖୁସି ଖବର ଦେଇ ପାରନ୍ତି ।

ସେହିପରି ଗତ ୨୦୨୦ ମସିହା ଜୁନ ମାସଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ବକେୟା ଡିଏକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ବକେୟା ଡିଏକୁ ନେଇ କର୍ମଚାରୀମାନେ ଦୀର୍ଘଦିନ ହେଲା ଦାବି କରିଆସୁଥିବା ବେଳେ ତା’ ଉପରେ ଏବେ ବିଚାର କରାଯିବ ବୋଲି କୁହାଯାଉଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଥିବା ବେଳେ ତା’ର ପ୍ରସ୍ତୁତି ନେଇ ସମସ୍ତେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ପ୍ରତିଷ୍ଠା ଉତ୍ସବ ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇ ପାରନ୍ତି ।

ଗତବର୍ଷ ମୋଦୀ ସରକାର ମାର୍ଚ୍ଚ ମାସ ୩୦ ତାରିଖରେ ଡିଏ ବୃଦ୍ଧି ଘୋଷଣା କରିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଉକ୍ତ ଘୋଷଣା କରିଥିଲେ । ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଦେଶରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ । ଏହାପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିପାରିବେ ନାହିଁ । ତେଣୁ ମୋଦୀ ସରକାର କର୍ମଚାରୀଙ୍କୁ ଆକର୍ଷିତ କିରବା ପାଇଁ ଡିଏ ବୃଦ୍ଧି ନିଷ୍ପତ୍ତି ନେଇ ପାରନ୍ତି । ନୂଆବର୍ଷରେ ମୋଦୀ ସରକାର ଦୁଇଟି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.