fbpx

ମାତ୍ର ୨୯ ରନ କରି ଇତିହାସ ଲେଖିଲେ ଇଂଲଣ୍ଡର ଜୋ ରୁଟ୍: ହାଇଦ୍ରାବାଦରେ ମହା ରେକର୍ଡ

ନୂଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ କରି ଅଲ ଆଉଟ ହୋଇଛି । ଦଳର ଷ୍ଟାର ବ୍ୟାଟର ଜୋ ରୁଟ ଏହି ମ୍ୟାଚରେ ମାତ୍ର ୨୯ ରନ୍ କରି ପାଭିଲିୟନ ଫେରିଛନ୍ତି । କିନ୍ତୁ ତାଙ୍କର ଏହି ଛୋଟ ଇନିଂସରେ ମଧ୍ୟ ସେ ଏକ ବିଶାଳ ରେକର୍ଡ ନିଜ ନାମରେ କରି ନେଇଛନ୍ତି । ଏହି ତାଲିକାରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଭାରତ-ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ କରିବା ତାଲିକାରେ ବିଶାଳ ରେକର୍ଡ କରିଛନ୍ତି ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ । ଉଭୟ ଦେଶ ମଧ୍ୟରେ ଖେଳା ଯାଇଥିବା ସମସ୍ତ ଦ୍ୱିପାକ୍ଷିକ ଟେଷ୍ଟରେ ସେ ସର୍ବାଧିକ ରନ୍ ସଂଗ୍ରହ କରି ଇତିହାସ ସୃଷ୍ଟି କରିଛନ୍ତି । ଆଜି ଭାରତ ବିପକ୍ଷରେ ୨୯ ରନ୍ ସହ ରୁଟ ଭାରତ ବିପକ୍ଷ ଟେଷ୍ଟ ଇତିହାସରେ ୨,୫୫୫ ରନ୍ ସଂଗ୍ରହ କରି ନେଇଛନ୍ତି । ତେବେ ଏହି ତାଲିକାରେ ସେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ସଚିନ୍ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମୋଟ ୨,୫୩୫ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଭାରତ-ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ଟେଷ୍ଟରେ ସର୍ବାଧିକ ରନ୍ କରିବା ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଜୋ ରୁଟ୍ ।

ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟରେ ସର୍ବାଧିକ ରନ୍ କରିବା ତାଲିକାର ତୃତୀୟ ସ୍ଥାନରେ ସୁନୀଲ ଗାଭାସ୍କର(୨,୪୮୩) ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଆଲେଷ୍ଟାର କୁକ୍(୨,୪୩୧) ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛନ୍ତି ବିରାଟ କୋହଲି(୧,୯୯୧) । ତେବେ କେବଳ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ନୁହେଁ, ରୁଟ ଭାରତ ବିପକ୍ଷ ଟେଷ୍ଟରେ ସର୍ବାଧିକ ରନ୍ କରିଥିବା ଖେଳାଳି(ବିଶ୍ୱର ସମସ୍ତ ଦଳ)ଙ୍କ ତାଲିକାରେ ମଧ୍ୟ ଯୁଗ୍ମ ଭାବରେ ରିକି ପଣ୍ଟିଂଙ୍କ ସହ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.