ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି: ଅନଲାଇନରେ ଜିଲ୍ଲା ଓ ସ୍କୁଲ ଚଏସ୍ କରିବେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦର ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ପାଇଁ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଦୁଇ ପଦରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀମାନେ ଅନଲାଇନରେ ଜିଲ୍ଲା ଓ ସ୍କୁଲ ଚଏସ୍ କରିବେ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି କରାଯାଇଛି ।

ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଥମେ ଜିଲ୍ଲା ବଣ୍ଟନ କରାଯିବ ଓ ତା’ପରେ ସ୍କୁଲ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ସେଥିପାଇଁ ଅନଲାଇନ ମୋଡ଼ରେ ଚଏସ୍ ଫିଲିଂ କରାଯିବ । ପ୍ରାର୍ଥୀମାନେ ସେଥିପାଇଁ ‘ଅନଲାଇନ୍ କାଉନସେଲିଂ ଫର ନିଉଲି ରିକ୍ରୁଏଟେଡ ହାଇ ସ୍କୁଲ ଟିଚର୍ସ’ ଲିଙ୍କକୁ ଯିବେ । ଏହି ଲିଙ୍କ https://osepa.odisha.gov.in/ ଓ https://tcportal.odisha.gov.in/ ୱେବସାଇଟରେ ଉପଲବ୍ଧ ହେବ । ନିଜର ଚଏସ୍ ଫିଲିଂ କରିବା ପୂର୍ବରୁ ପ୍ରାର୍ଥୀମାନେ ଗାଇଡଲାଇନ୍ସକୁ ଧ୍ୟାନର ସହ ପଢ଼ିବାକୁ କୁହାଯାଇଛି ।

ଫେବୃଆରୀ ମାସ ୫ ତାରିଖ ସକାଳ ୧୧ଟା ସମୟରେ ଜିଲ୍ଲା ପାଇଁ ଚଏସ୍ ଲକିଂ ଆରମ୍ଭ ହେବ । ଏହା ଫେବୃଆରୀ ମାସ ୬ ତାରିଖ ସନ୍ଧ୍ୟା ୬ଟାରେ ସମାପ୍ତ ହେବ । ୭ ତାରିଖ ସକାଳ ୧୧ଟା ସମୟରେ ଜିଲ୍ଲା ବଣ୍ଟନର ଫଳାଫଳ ପ୍ରକାଶ ପାଇବ । ସେହିପରି ୭ ତାରିଖ ସକାଳ ୧୧ଟାରେ ସ୍କୁଲ ପାଇଁ ଚଏସ୍ ଲକିଂ ଆରମ୍ଭ ହୋଇ ୮ ତାରିଖ ସନ୍ଧ୍ୟା ୬ଟାରେ ସମାପ୍ତ ହେବ । ସ୍କୁଲ ବଣ୍ଟନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଯୋଗାଯୋଗ କରାଯିବ ।