ଓଡ଼ିଶା ଭାସ୍କର: ଜଣେ ମହିଳା ଏସ୍ଆଇଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଖୋଦ ପୋଲିସ ବିଭାଗରେ ମୁଣ୍ଡ ଟେକିଛି। ତେବେ ଥାନାର ଆଇଆଇସି ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି। ହେଲେ ତାଙ୍କ ଅଭିଯୋଗକୁ ନିଜ ବିଭାଗର ପୋଲିସ ରୁଜୁ କରୁନଥିଲା । ଫଳରେ ପୋଲିସ ପ୍ରଶାସନଠାରୁ ନିରାଶ ହୋଇ ପୀଡ଼ିତା ମହିଳା ଏସ୍ଆଇ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶରେ ପ୍ରାୟ ୪ ବର୍ଷ ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ମହିଳା ଏସ୍ଆଇ ଜଣକ ୨୦୧୯ ମସିହାରେ ଗଞ୍ଜାମରେ ଚାକିରି କରୁଥିଲେ। ସେଠାରେ ତାଙ୍କ ଉପରିସ୍ଥ ଅଫିସର ଥିଲେ ଆଇଆଇସି ରମେଶ ପ୍ରଧାନ। ସେ ସରକାରୀ କ୍ୱାର୍ଟର୍ସରେ ମହିଳା ଏସ୍ଆଇଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଏସ୍ଆଇ ଜଣକ ରାଜ୍ୟ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ବରଂ ଓଲଟା ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ଏହା ପରେ ପରେ ଆଇଆଇସି ରମେଶ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ବର୍ତ୍ତମାନ ସେ ଫିରିଙ୍ଗିଆ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି।
ଏହାପରେ ମହିଳା ଏସ୍ଆଇ ଜଣକ ରାଜ୍ୟ ପୋଲିସଠାରୁ ନିରାଶ ହୋଇ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ଡିଜି ଇନ୍ଚାର୍ଜ ଅରୁଣ ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି। ତେବେ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ଜଣାପଡିଛି।
ସୂଚନା ଥାଉକି, ମାମଲାର ତଦନ୍ତ ପରେ ଯଦି ଆଇଆଇସି ବିରୋଧରେ ପ୍ରମାଣ ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।