ଫୁଲ୍ ଆକ୍ସନ ମୋଡ଼ରେ RBI: ୪ଟି ବ୍ୟାଙ୍କ ଉପରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି ତ୍ରୁଟି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏପରିକି ଆବଶ୍ୟକ ପଡ଼ିଲେ କିଛି ବ୍ୟାଙ୍କର ଲାଇସେନ୍ସକୁ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରଦ୍ଦ କରିଦେଇଥାଏ । ତେବେ ନିକଟରେ କିଛି ବ୍ୟାଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ପୁଣି ୪ଟି ବ୍ୟାଙ୍କ ଉପରେ ଆକ୍ସନ ନିଆଯାଇଛି ।

ସୂଚନା ମୁତାବକ, ନିୟମ ଉଲ୍ଲଂଘନ କାରଣରୁ ୪ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ସମବାୟ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ, ପାରସୀ ସମବାୟ ବ୍ୟାଙ୍କ, ବମ୍ବୋ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଓ ଦି ନବନିର୍ମାଣ ସମବାୟ ବ୍ୟାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ବମ୍ବେ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଉପରେ ୬୩.୩୦ ଲକ୍ଷ, ପାରସୀ ସମବାୟ ବ୍ୟାଙ୍କ ଉପରେ ୪୩.୪୦ ଲକ୍ଷ, ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ ଉପରେ ୬ ଲକ୍ଷ ଓ ଦି ନବନିର୍ମାଣ ସମବାୟ ବ୍ୟାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ନିର୍ଦ୍ଦେଶନାମା ପାଳନ ନ କରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆରବିଆଇ ଏକ ନୋଟିସ୍ ଜାରି କରି ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ସରକାରୀ, ଘରୋଇ ଓ ସମବାୟ ବ୍ୟାଙ୍କମାନଙ୍କ ପାଇଁ ଆରବିଆଇ କିଛି ନିୟମ ଲାଗୁ କରିଥିବା ବେଳେ ବ୍ୟାଙ୍କମାନେ ସେହିସବୁ ନିୟମ ପାଳନ ନକଲେ ଆକ୍ସନ ନିଆଯାଇଥାଏ ।