fbpx

AI କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ ବିଭ୍ରାଟ, ବଦଳି ହେଲେ ପରୀକ୍ଷା କେନ୍ଦ୍ର ଅଧିକ୍ଷକ

ଓଡ଼ିଶା ଭାସ୍କର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପୁଣି ଥରେ ବିଭ୍ରାଟ ଦେଖିବାକୁ ମିଳିଛି । କିନ୍ତୁ AI କ୍ୟାମେରା ତା’ର କମାଲ କରି ଦେଖାଇଛି । କପି ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାର ପର୍ଦ୍ଦାଫାସ କରିଛି । ଅପରପକ୍ଷରେ ମାଟ୍ରିକ ପରୀକ୍ଷାରେ ଏଭଳି ବିଶୃଙ୍ଖଳା ଅଭିଯୋଗକୁ ବୋର୍ଡ଼ ଖଣ୍ଡନ କରିଛି । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଂଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତୃଟି ଦେଖିବାକୁ ମିଳିଛି । ଫଳରେ କେନ୍ଦୁଝର ସାହାରପଡ଼ା ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କୁ ବଦଳି କରିଦିଆଯାଇଛି ।

ଭଦ୍ରକ ମଦନ ମୋହନଜୀଉ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି । ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ବନ୍ଧଗାଁରେ ପ୍ରଶ୍ନପତ୍ର ଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇନଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡ଼ିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ସେହିପରି ଆର. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନବରଙ୍ଗପୁର ଡାବୁଗାଁ ପରୀକ୍ଷା କେନ୍ଦ୍ରରେ ମଧ୍ୟ ବିଭ୍ରାଟ ଧରିଛି ଏଆଇ । ଅନ୍ୟପଟେ ଏଆଇ, ଲାଇଭ୍ ବ୍ୟବସ୍ଥା, ସିସି କ୍ୟାମେରା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତେ୍ୱ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ମାଟ୍ରିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର ଓ ତାର ଉତ୍ତର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲିଥିଲା । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏଭଳି ପ୍ରଶ୍ନପତ୍ର ବୁଲିଥିବା ସୂଚନା ମିଳିଛି । କେଉଁଠୁ ଓ କିଭଳି ଏହି ବିଭ୍ରାଟ ଘଟିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ । ଏସବୁ ସିଧାସଳଖ ସଂଯୋଗ ହୋଇଛି ବୋର୍ଡ କାର୍ଯ୍ୟଳୟରେ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ସହ । ବିରାଟ ଏଲଇଡି ସ୍କ୍ରିନରେ ଭିଡିଓ ଲାଇଭ ଷ୍ଟ୍ରିମିଂ ହେଉଛି ଏବଂ AI ଆଲର୍ଟ ଆସୁଛି । ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ଏବଂ ୨୦ ଜଣିଆ ଅବଜର୍ଭର ଟିମ୍ । କେଉଁଠି ବିଶୃଙ୍ଖଳା ନଜର ଆସିଲେ ୩ ଜଣିଆ ଅଫିସର କମିଟିକୁ ଜଣାଇବେ ଏବଂ ଏହାର ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ । କେବଳ ମାଟ୍ରିକ୍ ନୁହେଁ, ୧୬ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷାରେ ବି ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସର୍ଭେଲାନ୍ସର ଉପଯୋଗ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.