fbpx

ପାକିସ୍ତାନ ଉପରେ ଇରାନର ଆକ୍ରମଣ, ଆତଙ୍କୀ ସଂଗଠନର ଶୀର୍ଷ କମାଣ୍ଡର ନିହତ

ଇସଲାମାବାଦ: ପଡ଼ୋଶୀ ଦେଶ ପାକିସ୍ତାନ ସୀମାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଥିର ଇରାନ୍ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ଆକ୍ରମଣ କରିଛି । ଏୟାର ଷ୍ଟ୍ରାଇକ୍ ପରେ ଏବେ ଇରାନ ପାକିସ୍ତାନ ସୀମାରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ଆତଙ୍କୀ ସଂଗଠନ ଜୈଶ ଅଲ- ଅଦଲର ଶୀର୍ଷ କମାଣ୍ଡର ଇସମାଇଲ ଶାହବଖ୍‌ସ ଏବଂ ତାଙ୍କର କିଛି ସହଯୋଗୀଙ୍କୁ ନିପାତ କରିଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଇରାନର ସ୍ୱତନ୍ତ୍ର ଫୋର୍ସ ସାମିଲ ଥିବା ନେଇ ଇରାନର ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟରୁ ପ୍ରକାଶ ଯେ ୨୦୧୨ ମସିହାରେ ଜୈଶ ଅଲ- ଅଦଲ ନାମକ ଏକ ସଂଗଠନ ଇରାନର ଦକ୍ଷିଣ-ପୂର୍ବ ପ୍ରାନ୍ତ ସିସ୍ତାନ- ବାଲୁଚିସ୍ତାନରୁ ସଂଚାଳିତ ହେଉଥିଲା । ଇରାନ ଏହାକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲା । ଗତ କିଛି ବର୍ଷ ମଧ୍ୟରେ ଏହି ସଂଗଠନ ପକ୍ଷରୁ ଇରାନର ସୈନ୍ୟ ବଳ ଉପରେ ଅନେକ ଥର ଆକ୍ରମଣ କରାଯାଇଛି । ଗତ ମାସରେ ପାକିସ୍ତାନର ବାଲୁଚିସ୍ତାନ ଅଂଚଳରେ ଏହି ଆତଙ୍କବାଦୀ ସଂଗଠନର ଠିକଣାରେ ଏୟାର ଷ୍ଟ୍ରାଇକ କରିଥିଲା ଇରାନ । ଯାହାର ଜବାବ ଦେଇ ପାକିସ୍ତାନ ମଧ୍ୟ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏବେ ଇରାନ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ବେଳେ ପାକିସ୍ତାନ କଣ ପଦକ୍ଷେପ ନେଉଛି ତାହା ଉପରେ ରହିଛି ନଜର । ତେବେ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ବାଲୁୁଚିସ୍ତାନ ସୀମାରେ ଉତ୍ତେଜନା ଲାଗି ରହିଛି ।

Get real time updates directly on you device, subscribe now.