fbpx

ଜେଏନୟୁରେ ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପିଟାପିଟିରେ ବହୁ ଛାତ୍ର ଆହତ, Video ଭାଇରାଲ୍‌

ନୂଆଦିଲ୍ଲୀ:ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) କ୍ୟାମ୍ପସରୁ ପୁଣି ହିଂସାକାଣ୍ଡର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍‌ରେ ଚାଲିଥିବା ଜେନେରାଲ ବଡି ମିଟିଂରେ ବାମ ଓ ଦକ୍ଷିଣ ପନ୍ଥୀ ଛାତ୍ରଙ୍କ ମଧ୍ୟରେ ବଡ ଧରଣର ମାରପିଟ୍ ଆରମ୍ଭ ହୋଇଯାଇଥିଲା । କିଏ କାହାକୁ ବିଧା ଗେଗାଇଠା ମାରିଥିଲା ତ ଆଉ କିଏ ଠେଙ୍ଗା ବାଡି ଧରି ଆକ୍ରମଣ କରିଥିଲା । ସାରା ରାତି ଉଭୟ ପକ୍ଷର ଛାତ୍ରଙ୍କ ମଧ୍ୟରେ ହିଂସାକାଣ୍ଡ ଜାରି ରହିଥିଲା । ଉଭୟ ଛାତ୍ର ଗୋଷ୍ଠୀ ଏହି ହିଂସାକାଣ୍ଡ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି । ବାମପନ୍ଥୀ ଛାତ୍ର ଏହା ଏଭିପି ଛାତ୍ରଙ୍କ ଗୁଣ୍ଡାଗର୍ଦ୍ଦି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ପନ୍ଥୀ ଛାତ୍ର କ୍ୟାମ୍ପସରେ ଏହା ନକ୍ସଲ ଆଟାକ ବୋଲି କହିଛନ୍ତି ।

ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଏହି ହିଂସାକାଣ୍ଡ ଘଟଣାରେ ଆହତ କିଛି ଛାତ୍ରଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ହିଂସାକାଣ୍ଡ ଘଟଣାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଛାତ୍ର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାଡିରେ ପିଟୁଛନ୍ତି । ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି ଛାତ୍ରଙ୍କ ଉପରକୁ ସାଇକେଲ ଫିଙ୍ଗୁଥିବାର ନଜର ଆସୁଛି । ଆଉ ଏକ ଭିଡିଓରେ ଏକ ଗ୍ରୁପ୍ କିଛିି ବ୍ୟକ୍ତିଙ୍କୁ ଟଣାଟଣି ଓ ପିଟାପିଟି କରୁଥିବାର ଦୃଶ୍ୟ ନଜର ଆସୁଛି ଓ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

କ୍ୟାମ୍ପସରେ ୪ ବର୍ଷ ପରେ ଛାତ୍ର ସଂଘ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଛାତ୍ରମାନଙ୍କ ମଧ୍ୟରେ ଏପରି ହିଂସାକାଣ୍ଡ ଏହା ସୂଚାଉଛି କି କ୍ୟାମ୍ପସରେ ଏପରି ମାହୋଲରେ ନିିର୍ବାଚନ କରାଇବା ସମ୍ଭବ ହେବ ନାହିଁ ।

Get real time updates directly on you device, subscribe now.