ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାର ରାଜୀବ କୁମାରଙ୍କୁ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ସରକାରଙ୍କ ଠାରୁ ୩ ଜଣଙ୍କ ନାମ ମାଗିଥିଲେ । ବିବେକ ସହାୟଙ୍କ ବ୍ୟତୀତ ସଞ୍ଜୟ ମୁଖାର୍ଜୀ ଓ ରାଜେଶ କୁମାରଙ୍କ ନାମ ମଧ୍ୟ ସାମିଲ ଥିଲା। ଯାହା ପରେ ବିବେକ ସହାୟଙ୍କୁ ଏହି ପଦରେ ନିଯୁକ୍ତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସଞ୍ଜୟ ମୁଖାର୍ଜୀଙ୍କୁ ମହାନିର୍ଦ୍ଦେଶକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ବିପି ଗୋପାଲିକାଙ୍କୁ ଚିଠି ଲେଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜୀବ କୁମାରଙ୍କୁ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।