ମାତା ‘ମୀରା’ ଓ ନନ୍ଦୀ ମହାରାଜ ‘ଗୋପାଳ’ଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: ଦୁଇ ନୂଆ ଅତିଥିଙ୍କ ଫଟୋ ଶେୟାର କଲେ ମୋହନ ଯାଦବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଘରକୁ ଦୁଇଜଣ ଅତିଥି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ମୀରା’ ଓ ଆଉ ଜଣେ ‘ଗୋପାଳ’ । ଏହି ଦୁଇ ନୂଆ ଅତିଥିଙ୍କୁ ମୋହନ ସ୍ୱାଗତ କରିବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସେମାନଙ୍କର ଫଟୋ ଶେୟାର କରିଛନ୍ତି । ତେଣୁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଦିନ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ଏହି ଦୁଇ ଅତିଥି ହେଉଛନ୍ତି ପୁଙ୍ଗନୁର ଗାଈଙ୍କର ଯୋଡ଼ି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଆନ୍ଧ୍ରପ୍ରଦେଶରୁ ଅଣାଯାଇଛି । ସେଥିପାଇଁ ଏଭଳି ଏକ ବିଶେଷ ଖୁସି ମୁହୂର୍ତ୍ତ ବିଷୟରେ ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗାଈର ନାମ ‘ମୀରା’ ଓ ନନ୍ଦୀର ନାମ ‘ଗୋପାଳ’ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପ୍ରେରଣା ପାଇଁ ମୋହନ ଏହି ଗାଈଙ୍କୁ ଆଣିଛନ୍ତି କହିଛନ୍ତି । ମାତା ‘ମୀରା’ ଓ ନନ୍ଦୀ ମହାରାଜ ‘ଗୋପାଳ’ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ।