ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି କି ? ଚାଣକ୍ୟ ନୀତିର ପାଳନ କରନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ କରିଛନ୍ତି । ବେଳେ ବେଳେ ଅନେକ ପରିଶ୍ରମ ପରେ ମଧ୍ୟ ବ୍ୟକ୍ତିକୁ ବ୍ୟବସାୟରେ ସଫଳତା ମିଳିନଥାଏ । ଏଥିପାଇଁ ସେମାନେ ଭାଗ୍ୟକୁ ଦୋଷ ଦେଇଥାନ୍ତି । ଚାଣକ୍ୟ ଏଭଳି ମୂଳମନ୍ତ୍ର କହିଛନ୍ତି ଯାହା ଆପଣାଇବା ଦ୍ୱାରା ବ୍ୟକ୍ତି ବ୍ୟବସାୟ ଏବଂ ଚାକିରିରେ ଉନ୍ନତି କରିଥାଏ ।

୧. ଅନୁଶାସନ: ଜୀବନରେ ଅନୁଶାସନ ବ୍ୟକ୍ତିର ସ୍ୱଭାବ ଓ ଆଚରଣକୁ ନିର୍ମିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଅନୁଶାସନହୀନ ଜୀବନ ବ୍ୟକ୍ତିକୁ ଭୁଲ ରାସ୍ତାରେ ନେଇଥାଏ । ତେଣୁ ବ୍ୟାପାର କ୍ଷେତ୍ରରେ ମଧ୍ୟ ବ୍ୟକ୍ତିକୁ ନିଜ କାର୍ଯ୍ୟ ପ୍ରତି ଅନୁଶାସନ ଆଚରଣ ପ୍ରଦର୍ଶିତ କରିବା ଉଚିତ ।

୨. ବ୍ୟବହାର: ଯେତେ ଜ୍ଞାନୀ ହୋଇଥିଲେ ବ୍ୟକ୍ତିର ବ୍ୟବହାର ହିଁ ଜୀବନରେ ସଫଳତାର ମାର୍ଗଦର୍ଶନ କରାଇଥାଏ । ଉତ୍ତମ ଲୋକସମ୍ପର୍କ ସ୍ଥାପନ କରିବାରେ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

୩. କାମ ଅଧାରୁ ଛାଡ଼ନ୍ତୁ ନାହିଁ: ଅଧିିକାଂଶ ସମୟରେ ଦେଖାଯାଏ ଯେ ପ୍ରାରମ୍ଭରୁ କିଛି ବ୍ୟକ୍ତିଙ୍କ ବ୍ୟବସାୟ ଭଲ ଚାଲୁଥିବ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେଥିରେ ଅସଫଳତା ପ୍ରାପ୍ତ ହୋଇଥାଏ । ବ୍ୟବସାୟରେ ଦେଖାଯାଉଥିବା ବାଧାବିଘ୍ନରୁ ସେମାନେ ଘାବରାଇ ଯାଇଥାନ୍ତି । ଏହା ପରେ ସେମାନେ ବ୍ୟବସାୟ ଅଧାରୁ ବନ୍ଦ କରିଥାନ୍ତି । ଏପରି କରନ୍ତୁ ନାହିଁ । ବ୍ୟବସାୟରେ ସଫଳତା ପାଇଁ ଟିମ୍ ୱାର୍କ ଜରୁରୀ ଅଟେ । ତେଣୁ ଏଭଳି ପରିସ୍ଥିତିରେ ଅନ୍ୟର ସାହାଯ୍ୟ ନେବା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ ।

୪. ରିସ୍କ: ବ୍ୟବସାୟରେ ଲାଭ କ୍ଷତି ହେବା ସ୍ୱାଭାବିକ । ତେଣୁ ବ୍ୟକ୍ତିକୁ ବେଳେ ବେଳ ରିସ୍କ ଉଠାଇବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତି ମଧ୍ୟରେ ନିଷ୍ପତ୍ତି ନେବାର କ୍ଷମତା ରହିବା ଉଚିତ । ଗୋଟିଏ ବି ଭୁଲ ନିଷ୍ପତ୍ତି ବ୍ୟବସାୟକୁ ପ୍ରଭାବିତ କରିପାରେ । ଅଧିକ ଟଙ୍କା ଲୋଭରେ ଭୁଲ ରାସ୍ତା ଚୟନ କରିବା ଠାରୁ ଦୂରେଇ ରହିବା ଉଚିତ ।

୫. ଅଧିକ ସଚ୍ଚୋଟପଣ: ଆଜିକାଲିକା ଦୁନିଆରେ ବ୍ୟକ୍ତିକୁ ଅଧିକ ସଚ୍ଚୋଟପଣ ହେବା ଉଚିତ ନୁହେଁ । ଏହା ଦ୍ୱାରା ଅନ୍ୟମାନେ ଆପଣଙ୍କ ଫାଇଦା ଉଠାଇଥାନ୍ତି । ପ୍ରତ୍ୟେକ ସମ୍ପର୍କ ପଛରେ କିଛି ନା କିଛି ସ୍ୱାର୍ଥ ଲୁଚି ରହିଥାଏ । ତେଣୁ ଲୋକଙ୍କ ଉପରେ ସହଜରେ ବିଶ୍ୱାସ କରନ୍ତୁ ନାହିଁ ।

୬. ନିଜକୁ ପ୍ରଶ୍ନ କରନ୍ତୁ: କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜକୁ ୩ଟି ପ୍ରଶ୍ନ ପଚାରନ୍ତୁ । ପ୍ରଥମ- ଏହି କାମ ଆପଣ କ’ଣ ପାଇଁ କରୁଛନ୍ତି ? ଦ୍ୱିତୀୟ- ଏହାର ପରିଣାମ କ’ଣ ହେବ ? ତୃତୀୟ- ଏହି କାର୍ଯ୍ୟରେ ଆପଣ କେତେ ଦୂର ସଫଳ ହେବେ ? ଏହି ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳିଲେ ଆପଣ ବ୍ୟବସାୟର ଶୁଭାରମ୍ଭ କରିପାରିବେ ।

୭. ସଫଳତାର ରହସ୍ୟ ପ୍ରକାଶ କୁହନ୍ତୁ ନାହିଁ: ବ୍ୟକ୍ତିଗତ ହେଉ କିମ୍ବା ବୃତ୍ତିଗତ ଜୀବନ, ନିଜ ସଫଳତାର ରହସ୍ୟ କାହା ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ । ଆପଣ ଯେତେ ଘନିଷ୍ଠ ମିତ୍ର ହୋଇଥିଲେ ମଧ୍ୟ ସମୟ ଆସିଲେ ସେମାନେ ଆପଣଙ୍କ ଫାଇଦା ଉଠାଇପାରନ୍ତି । ସଫଳତାର ରହସ୍ୟ ଜାଣି ସେମାନେ ଅପଣଙ୍କ ସମକକ୍ଷ ହେବା ସହ ପ୍ରତିଦ୍ୱନ୍ଦିତାରେ ପଛରେ ପକାଇପାରନ୍ତି ।