ଭୁବନେଶ୍ୱର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଆଜି ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ତେବେ ଏହାରି ମଧ୍ୟରେ କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନରେ ତ୍ରୁଟି ଦେଖିବାକୁ ମିଳିଛି । ଏ ନେଇ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ଇଭିଏମରେ ତ୍ରୁଟି ବରଗଡ଼ ଜିଲ୍ଲାର ଗୋଟିଏ ବୁଥରେ ଦେଖିବାକୁ ମିଳିଛି । ହାଟପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ୯୨ନଂ ବୁଥ, ବିନିକା ସିଲାଟି ୬୪ନଂ ବୁଥ, ଭଞ୍ଜନଗର ଯୋଗୀମାରୀ ୧୦୬ନଂ ବୁଥରେ ବି ଇଭିଏମ ତ୍ରୁଟି ଦେଖିବାକୁ ମିଳିଛି । ତେବେ ଏହି ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ହୋଇପାରିନି ।
ସୁନ୍ଦରଗଡ଼ ବିଧାନସଭା ଆସନର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୮ ବୁଥ ନଂ ୨୩୫ରେ ଇଭିଏମ ତ୍ରୁଟି ଦେଖିବାକୁ ମିଳିଛି । ଏହା ବ୍ୟତୀତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର କୁସଗୁମାରେ ଭୋଟର କେନ୍ଦ୍ର ବାହାରେ ଏଜେଣ୍ଟ ନ ବସାଇବାକୁ ନେଇ ଝଗଡା ହୋଇଥିବା ଜଣାପଡିଛି । ତେବେ ଏ ନେଇ ଧରାକୋଟ ବିଡିଓ, ତହସିଲଦାର ଓ ଧରାକୋଟ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାପରେ ସେଠାର ଗାଁ ଲୋକେ ଭୋଟ ଦେବେ ନାହିଁ କହି ମତଦାନ କେନ୍ଦ୍ରରୁ ଫେରି ଯାଇଛନ୍ତି । ଏହିପରି ଭାବେ ଅନେକ ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଛି । କେତେକ ସ୍ଥାନରେ ନୂଆ ମେସିନ ଆସିବା ପରେ ମତଦାନ ଆରମ୍ଭ ହୋଇଛି ।