fbpx

ବିଜେପିର ହାଇଭୋଲଟେଜ୍ ପ୍ରଚାର ଯୋଗୁଁ ଚାପରେ ଅଛି କି ବିଜେଡି?

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି । ବିଜେପି ନେତାମାନେ ଯେ କେବଳ ନିର୍ବାଚନ ପ୍ରଚାର କରୁଛନ୍ତି ତାହା ନୁହେଁ, ସେମାନେ ଖୋଲା ଖୋଲି ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛନ୍ତି, ଯାହାକି ପୂର୍ବରୁ ଏତେ ଦେଖାଯାଇନଥିଲା । ଏହାର ଜବାବରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର କରି ବିଜେପିକୁ ଜବାବ ଦେଉଛନ୍ତି ।

ତେବେ ଗୋଟିଏ ନିର୍ବାଚନ ସିଜିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏତେ ଥର ଓଡ଼ିଶା ଗସ୍ତ କେବେ ଦେଖିବାକୁ ମିଳିନଥିଲା । ସେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀରେ ଜନସଭା କରିଛନ୍ତି ଓ ଭୁବନେଶ୍ବର ଓ ପୁରୀରେ ରୋଡସୋ କରିଛନ୍ତି । ମୋଦୀଙ୍କ ଏହି ଆକ୍ରାମକ ପ୍ରଚାର ଓଡ଼ିଶାବାସୀ କେବେ ଦେଖିନଥିଲେ । ତେବେ ତାଙ୍କର ଯେଉଁ କଥାଟି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଯେ ଜୁନ ୧୦ରେ ଭୁବନେଶ୍ବରରେ ଜଣେ ବିଜେପି ନେତା ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାକୁ ଯାଉଛନ୍ତି ଓ ଏଥିପାଇଁ ଲୋକଙ୍କୁ ନିମନ୍ତ୍ରଣ ରହିଲା । ଏହାର ଜବାବରେ ପାଣ୍ଡିଆନ ମଧ୍ୟ କହିଛନ୍ତି ଯେ ଜୁନ ୯ରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ।

ପୂର୍ବ ନିର୍ବାଚନଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ରହୁଥିଲା ଯେ ବିଜେଡି ତ ଜିତିବ, ତେବେ କେତୋଟି ଆସନରେ ଜିତିବ ? ବିଜେଡ଼ି ଛଡ଼ା ଯେ ଆଉ କେହି ସରକାର ଗଢିବ ତାହା ଚର୍ଚ୍ଚା ପରିସରକୁ ଆସୁନଥିଲା । କେବଳ ପୂର୍ବ ନିର୍ବାଚନ ନୁହେଁ, ଚଳିତ ନିର୍ବାଚନରେ ଏପ୍ରିଲ ପର‌୍ୟ୍ୟନ୍ତ ରାଜ୍ୟରେ ଚର୍ଚ୍ଚା ହେଉଥିଲା ଯେ ବିଜେଡି ହିଁ ସରକାର ଗଢିବ ଓ ବିଜେପି ସ୍ଥିତିରେ ପରିବର୍ତ୍ତନ ଆସିପାରେ । କିନ୍ତୁ ଏଥର ଏହି ନ୍ୟାରେଟିଭକୁ ବଦଳାଇବାରେ ସଫଳ ହୋଇଛି ବିଜେପି ।

ଜାତୀୟ ସ୍ତର ପରି ଓଡ଼ିଶାରେ ବି ଏକ ନ୍ୟାରେଟିଭ ସୃଷ୍ଟି କରି ସେ ବିଜେପି ସପକ୍ଷରେ ହାଓ୍ବା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଓଡ଼ିଶାକୁ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ବିପକ୍ଷରେ କିଛି ସରକାର ବିରୋଧୀ ଜନମତ ନିଶ୍ଚୟ ରହିଛି । ଏହାଛଡ଼ା ଏହି ଦଳ ଭିତରେ ବି ଅସନ୍ତୁଷ୍ଟ ନେତା ଅଛନ୍ତି । ନିଜକୁ ବିଜେଡିର ବିକଳ୍ପ ଭାବେ ଥୋଇ ଏହି ପରିସ୍ଥିତିର ଫାଇଦା ନେବାକୁ ଉଦ୍ୟମ କରୁଛି ବିଜେପି । ତେବେ କେବଳ ହାଓ୍ବା ସୃଷ୍ଟି କରିଦେଲେ ଚଳିବ ନାହିଁ, ଚୂଡ଼ାନ୍ତ ଫଳାଫଳ ବିଜେପିର ବୁଥସ୍ତର ପରିଚାଳନା ଉପରେ ନିର୍ଭର କରିବ । କାରଣ ବୁଥସ୍ତରର ପରିଚାଳନା କ୍ଷେତ୍ରରେ ବିଜେପିଠାରୁ ବିଜେଡ଼ି ଅନେକ ପାଦ ଆଗୁଆ ରହିଛି ।

Get real time updates directly on you device, subscribe now.