fbpx

(Video) ଯେତେ ଗଣିଲେ ସରୁନି… ରତ୍ନଭଣ୍ଡାରରେ କେତେ ଭରି ସୁନା ଅଳଙ୍କାର ଅଛି? ଭଣ୍ଡାରର ତାଲିକାର ପୁରୁଣା ରେକର୍ଡ ଦେଖନ୍ତୁ

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଭରି ରହିଛି ମହଣ ମହଣ ସୁନା, ରୁପା, ମୋତି, ମାଣିକ । ବହୁ ରାଜା ମହାରାଜା ମାନେ ରତ୍ନ ଭଣ୍ଡାରକୁ ଏହି ଅଳଙ୍କାର ଦାନ କରିଥିଲେ । ଯେଉଁଥିପାଇଁ ଜଗନ୍ନାଥଙ୍କର ରତ୍ନଭଣ୍ଡାର ଅଳଙ୍କାରରେ ପରିପୂର୍ଣ୍ଣ ହୋଇଥିଲା । ଯାହାର ହିସାବ ପାଇଁ ସେଦିନ ଖୋଲିଥିଲା ରତ୍ନଭଣ୍ଡାର । ଗଣି ଗଣି ହାଲିଆ ହୋଇଯାଇଥିଲେ ଅଧିକାରୀ ମାନେ । ବହୁ ପୂଜାର୍ଚ୍ଚନା ପରେ ରତ୍ନଭଣ୍ଡାର ମଧ୍ୟକୁ ଯାଇଥିଲେ ଆଉ ତା’ପରେ ପ୍ରସ୍ତୁତ ହୋଇଥିଲା ବିସ୍ତୃତ ତାଲିକା । ଯେଉଁ ତାଲିକାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତତ୍କାଳୀନ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟବାଦୀ ସରକାରୀ ପ୍ରେସରେ ଏହି ତାଲିକା ଛପା ଯାଇଥିଲା ।

ତଥ୍ୟ ମୁତାବିକ ୧୯୭୮ ମସିହାରେ ଗଣତି ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରୁ ୭୪୭ ପ୍ରକାରର ରତ୍ନ ଅଳଙ୍କାର ମିଳିଥିଲା । ଯେଉଁଥିରେ ୧୨ ହଜାର ୮୩୮ ଭରି ସୁନା ରହିବା ସହ ୨୨ ଜହାର ୧୫୩ ଭରି ରୁପା ଥିଲା । ଭିତର ରତ୍ନ ଭଣ୍ଡାରରେ ୩୬୭ ପ୍ରକାରର ୪,୩୬୪ ଭରି ଅଳଙ୍କାର ରହିଥିବା ବେଳେ ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮,୧୭୫ ଭରି ଓ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର ରହିଥିବା ତାଲିକାରେ ପ୍ରକାଶ ପାଇଛି ।

ସେହିପରି ଭଣ୍ଡାରରେ ରୂପା ଅଳଙ୍କାର ମଧ୍ୟ ଭର୍ତ୍ତି ହୋଇ ରହିଛି । ଭିତର ରତ୍ନଭଣ୍ଡାରରେ ୨୩୧ ପ୍ରକାରର ୧୪,୮୭୮ ଭରି ଏବଂ ବାହାର ରତ୍ନଭଣ୍ଡାରରେ ୩୯ ପ୍ରକାରର ୪,୬୭୧ ଭରି ରୂପା ଅଳଙ୍କାର ଥିବା ବେଳେ ଦୈନନ୍ଦିନ ନୀତିକାନ୍ତି ପାଇଁ ଚଳନ୍ତି ଭଣ୍ଡାରରେ ୨୩ ପ୍ରକାରର ୨,୬୦୩ ଭରି ରୂପା ଅଳଙ୍କାର ରହିଛି ।

ତେବେ ସରକାରଙ୍କ ଏହି ତାଲିକାରେ କେବଳ ସୁନା ଏବଂ ରୂପାକୁ ତାଲିକାଭୁକ୍ତ କରାଯାଇଛି । ଭଣ୍ଡାରରେ ରହିଥିବା ହୀରା, ମୋତି, ମାଣିକ ଇତ୍ୟାଦିକୁ ହିସାବ କରାଯାଇ ନାହିଁ । କୌଣସି କାରଣରୁ ଏହି ସବୁକୁ ହିସାବ କରାଯାଇ ପାରି ନଥିଲା ବୋଲି ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ୧୯୮୨ ମସିହା ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩,୩୩୭ ଭରି ୧୦ ଅଣା ରୂପା କଢ଼ା ଯାଇଥିଲା । ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା । ବଡ଼ଠାକୁରଙ୍କ ଚିତା ବ୍ୟବହାର ଯୋଗ୍ୟ ନହେବାରୁ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଚିଠି ସଂଖ୍ୟା ୮୭୬୭/୧୨.୭.୧୯୮୫ ଆଧାରରେ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଣାଯାଇଥିଲା । ଯାହାପରେ ପୁଣିଥରେ ରତ୍ନଭଣ୍ଡାରରରେ ତାଲା ପକାଯାଇ ଜଉ ମରାଯାଇଥିଲା ।

Get real time updates directly on you device, subscribe now.