ODI ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଶ୍ରୀଲଙ୍କା ଗସ୍ତ ପୂର୍ବରୁ ନେଲେ ବ୍ରେକ, କିଏ ହେବେ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବ । କିନ୍ତୁ ଏହାପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇକୁ ଏକ ସୂଚନା ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ବ୍ରେକ ନେବା ପାଇଁ ବୋର୍ଡକୁ ଅନୁମତି ମାଗିଛନ୍ତି ହାର୍ଦ୍ଦିକ । ନିଜ ବ୍ୟକ୍ତିଗତ କାରଣରୁ ସିରିଜରୁ ଦୂରେଇ ରହିବା ପାଇଁ ବିସିସିଆଇକୁ ଅନୁମତି ମାଗିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୨୭ ତାରିଖରୁ ଟି-୨୦ ଏବଂ ଅଗଷ୍ଟ ୨ ତାରିଖରୁ ଦିନିକିଆ ସିରିଜ କେଳିବ ଟିମ ଇଣ୍ଡିଆ ।

ଭାରତୀୟ ଦଳର ନୂଆ କୋଚ୍ ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରୁ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ । ତେବେ ଏହି ସିରିଜରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରାହ ବ୍ରେକ ପାଇଁ ଆବେଦନ କରିଛନ୍ତି । କିନ୍ତୁ ଏହି ସିରିଜପାଇଁ ସମସ୍ତ ସିନିୟର ଖେଳାଳି ଉପଲବ୍ଧ ରୁହନ୍ତୁ ବୋଲି ଗମ୍ଭୀର ଇଚ୍ଛାପ୍ରକାଶ କରିଛନ୍ତି । ଏହାଭିତରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦିନିକିଆ ସିରିଜରୁ ବ୍ରେକ ମାଗିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜରୁ ବ୍ରେକ ନେବା ପାଇଁ ଇଚ୍ଛା ଜାହିର କରିଛନ୍ତି ହାର୍ଦ୍ଦିକ ।

ତେବେ ରୋହିତ ଏବଂ ହାର୍ଦ୍ଦିକ ଶ୍ରୀଲଙ୍କା ବିପକ୍ଷରେ ସାମିଲ ନ ହେଲେ, ଦଳର ନେତୃତ୍ୱ କିଏ ନେବେ ବୋଲି ଏବେ ଏକ ବଡ଼ ପ୍ରଶ୍ନ ଉଠିଛି । ରୋହିତ ଶର୍ମାଙ୍କୁ ଦଳ ଯଦି ବିଶ୍ରାମ ଦିଏ, ତେବେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ନୂଆ ଅଧିନାୟକ ଖୋଜିବ ବିସିସିଆଇ । ତେବେ ଏହି ପରିସ୍ଥିତିରେ ଷ୍ଟାର ବ୍ୟାଟର କେ.ଏଲ ରାହୁଲ କିମ୍ବା ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଦିନିକିଆ ଫର୍ମାଟରେ ରୋହିତ ଏବଂ ହାର୍ଦ୍ଦିକଙ୍କ ପରେ ଏହି ୨ ଖେଳାଳି ଅଧିନାୟକ ପଦ ପାଇଁ ଯୋଗ୍ୟ ହୋଇପାରନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ୱ ସମୟରେ ଟିମ ଇଣ୍ଡିଆର ଉପ-ଅଧିନାୟକ ରହିଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଟି-୨୦ ବିଶ୍ୱକପ ପରେ ରୋହିତ ଏହି ଫର୍ମାଟରୁ ବିଦାୟ ନେଇ ସାରିବା ପରେ ଉପ-ଅଧିନାୟକରୁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏ ନେଇ ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ ଏହା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.