Paris Olympics 2024: କାନାଡା ଟିମ୍‌ରେ ଲାଗିବ ପଞ୍ଜାବୀ ତଡକା! ଅଲମ୍ପିକ୍ସରେ କାନାଡା ଦଳରୁ ଖେଳିବେ ଭାରତୀୟ ବଂଶୋଦ୍ଭବ ଏହି ଆଥଲେଟ

ଓଡିଶା ଭାସ୍କର: ଖେଳର ମହାକୁମ୍ଭ ଅଲମ୍ପିକ୍ସର ୩୩ ତମ ସଂସ୍କରଣ ପ୍ୟାରିସରେ ଆଉ ୬ ଦିନ ପରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀ ଦିନରାତିକୁ ଏକ କରି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଆଥଲେଟମାନଙ୍କ ମଧ୍ୟରେ ଜଣେ ଅଛନ୍ତି ଜେସିକା ଗୌଡ୍ରିଆଲ୍ଡ । ଯିଏ କି କାନାଡା ୱାଟର ପୋଲୋ ଟିମର ଗୋଲକିପର ଅଟନ୍ତି । ସେ କାନାଡାରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । କିନ୍ତୁ, ଏ ଝିଅର ବିଜୟରେ ଭାରତ ବି ନିଶ୍ଚିତଭାବରେ ଖୁସି ହେବ ।

ଜେସିକା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତାଙ୍କ ମା’ ପଞ୍ଜାବର ଏକ ଗାଁରୁ ଆସନ୍ତି । ଜେସିକାଙ୍କ ମା’ ଅଜିତ କୌର ପଞ୍ଜାବର ଫତେହଗଡ ସାହିବ ଜିଲ୍ଲାର ଚନାରଥଲ କଳା ଗାଁରେ ରହନ୍ତି । ସେ ଅଲମ୍ପିକ୍ସ ଖେଳିବେ ବୋଲି ତାଙ୍କ ମା’ ଓ ନାନାଙ୍କ ଛାତି ଗର୍ବରେ ଚଉଡା ହୋଇ ସାରିଛି । ଗୌଡ୍ରିୟାଲ୍ଡ ୨୦୦୮ ମସିହାରୁ ମାତ୍ର ୧୪ ବର୍ଷ ବୟସରେ ୱାଟର ପୋଲୋ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ବାପାମାଆ ବି ତାଙ୍କୁ ଦିଗରେ ପ୍ରୋତ୍ସାହିତ କରିଛନ୍ତି । ଯାହାଫଳରେ ସେ ଆଜି କାନାଡାରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ କାନାଡା ୱାଟର ପୋଲୋ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି ।

ଏହାବାଦ ଆଉ ୨ ଜଣ ପଞ୍ଜାବୀ ଆଥଲେଟ ମଧ୍ୟ କାନାଡାରୁ ଅଲମ୍ପିକ୍ସ ମହାକୁମ୍ଭରେ ଭାଗ ନେବେ । ସେମାନେ ହେଲେ ଜସନୀତ ନିଜ୍ଜର ଓ ଅମର ଧେସି । ୨୩ ବର୍ଷୀୟ ବ୍ରିଟିଶ କଲମ୍ବିଆର ଧାବିକା ଜସନୀତ ନିଜ୍ଜର ୪ ଗୁଣା ୪୦୦ ମିଟର ରିଲେ ଟିମରେ କାନାଡା ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି ପ୍ୟାରିସ ଅଲମ୍ପିକ୍ସରେ । ସେ ଅଲମ୍ପିକ୍ସ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟ ଭାଗ ନେଉଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ କାନାଡାଇ ମହିଳା ଅଟନ୍ତି । ସେପଟେ ସମାନ ୨୩ ବର୍ଷୀୟ ଅମର ଧେସି ମଧ୍ୟ ବ୍ରିଟିଶ କଲମ୍ବିଆରୁ ଆସନ୍ତି । ଅମର କୁସ୍ତିରେ ନିଜର ଜଲୱା ଦେଖାଇବେ କାନାଡା ପକ୍ଷରୁ । ୧୨୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ଅଲମ୍ପିକ୍ସ ପଦାର୍ପଣରେ ସେ ୧୩ ତମ ସ୍ଥାନରେ ଥିଲେ । ଅମରଙ୍କ ପିତା ବଲବୀର ଭାରତର ପ୍ରସିଦ୍ଧ କୁସ୍ତି ଯୋଦ୍ଧା ଥିଲେ । ୧୯୭୬ ମସିହାରେ ସେ କାନାଡା ଚାଲିଯାଇଥିଲେ ଓ ସେଠାରେ ଖାଲସା କୁସ୍ତି କ୍ଲବର ସ୍ଥାପନା କରିଥିଲେ । ପିତାଙ୍କ ଏହି କ୍ଲବ ହିଁ ଅମରକୁ ଆକାଶ ଛୁଇଁବା ପାଇଁ ପ୍ରେରଣା ଦେଇଛି । ପ୍ରକାଶଥାଉ ଯେ, କାନାଡା ଦଳ ପକ୍ଷରୁ ଖେଳୁଥିବା ଏହି ପଞ୍ଜାବୀ ଖେଳାଳିମାନେ ଭାରତ ଗର୍ବକୁ ମଧ୍ୟ ଶୀର୍ଷକୁ ନେବେ । ତାହାସହ କାନାଡା ଦଳରେ ଝଲସିବ ପଞ୍ଜାବୀ ତଡକା ।

Get real time updates directly on you device, subscribe now.