ଆର୍ଥିକ ଅସମାନତା କାରଣରୁ ମଧ୍ୟ ଖରାପ ହେଉଛି ଦାମ୍ପତ୍ୟ ଜୀବନ, ଜାଣନ୍ତୁ କେମିତି କରିବେ ନିୟନ୍ତ୍ରଣ

ଆଜିକାଲି ପ୍ରାୟ ଦମ୍ପତି ରୋଜଗାରିଆ । ସମୟ ସହ ତାଳ ଦେଇ ଚାଲିବା ପାଇଁ ଏହି ପନ୍ଥାର ଆବଶ୍ୟକତା ରହିଛି । ଉଭୟ ରୋଜଗାର କରିବା ଦ୍ୱାରା ଘରପରିବାର ପରିଚାଳନାରେ ସୁଧାର ଆସିଥାଏ । କିନ୍ତୁ ବେଳେ ବେଳେ ଏହି ଇନ୍‌କମ୍‌ ରେ ଆସୁଥିବା ଗ୍ୟାପ୍ ଉଭୟଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କେମିତି କରିବେ ନିୟନ୍ତ୍ରଣ ।

୨୦୨୪ରେ ମାର୍ଚ୍ଚରେ ହୋଇଥିବା ଏକ ସର୍ଭେ ଅନୁସାରେ ମେଟ୍ରୋ ସହରରେ ଚାକିରି କରୁଥିବା ୨୩ ପ୍ରତିଶତ ମହିଳାଙ୍କୁ ଅନୁଭବ ହେଉଛି ସେମାନଙ୍କୁ ପୁରୁଷମାନଙ୍କ ତୁଳନାରେ କମ୍ ବେତନ ଦିଆଯାଇଥାଏ । ଦମ୍ପତିଙ୍କ ମଧ୍ୟରୁ ଯଦି ଜଣେ କେହି ଘର ପରିଚାଳନା ଦାୟିତ୍ୱ ନେଇଥାନ୍ତି, ତେବେ ଅନ୍ୟ ଜଣକୁ ଆର୍ଥିକ ଅସମାନତା କାରଣରୁ ସଙ୍କୋଚ ଅନୁଭବ ହୋଇଥାଏ । ଏଭଳି ଅସୁରକ୍ଷିତ ଭାବନା ଉଭୟଙ୍କ ଭିତରେ ଚିନ୍ତା ସୃଷ୍ଟି କରିଥାଏ । ଆର୍ଥିକ ଅସମାନତା କାରଣରୁ କେବେ କେବେ ଦମ୍ପତିଙ୍କ ଭିତରେ ଲଢେଇ ହେବା, ନିଜ ଖର୍ଚ୍ଚ ଲୁଚାଇବା କିମ୍ବା କମ୍ ବେତନକୁ ନେଇ ଲଜ୍ଜା ଅନୁଭବ କରିବା ପରି ସ୍ଥିତି ମଧ୍ୟ ଉପୁଜିଥାଏ । ସ୍ୱାମୀଙ୍କଠାରୁ କମ୍ ରୋଜଗାର କରୁଥିବା କାରଣରୁ କେବେ କେବେ ସ୍ତ୍ରୀମାନେ ନିଜକୁ ହୀନ ମନେ କରିଥାନ୍ତି । ସମ୍ପର୍କ ପରାମର୍ଶଦାତା ଦୀପାଳି ବାତ୍ରାଙ୍କ କହିବା ଅନୁସାରେ ଆର୍ଥିକ ଅସମାନତାକୁ କେମିତି ସାମ୍ନା କରିପାରିବେ । ଦମ୍ପତିଙ୍କ ଝଗଡାର ପ୍ରମୁଖ କାରଣ ହେଉଛି ଟଙ୍କା ।

ଅନେକ ଦମ୍ପତି ଅଛନ୍ତି, ଯେଉଁମାନେ ଇନ୍କମ୍ ଗ୍ୟାପ୍ ପରି ସମ୍ବେଦନଶୀଳ ବିଷୟକୁ ବୁଝିପାରି ନଥାନ୍ତି । ଫଳରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ । ଅବଶ୍ୟ ବିବାହ ପୂର୍ବରୁ କଥା ହେବା ସମୟରେ ଉଭୟ ପରସ୍ପରଙ୍କ ବେତନ ଓ ଖର୍ଚ୍ଚ ବିଷୟରେ କଥା ହେବା ଜରୁରି । କିନ୍ତୁ ପ୍ରାୟ ଲୋକଙ୍କୁ ଏଭଳି ସମ୍ବେଦନଶୀଳ କଥା ଉପରେ ଚର୍ଚ୍ଚା କରିବା ପସନ୍ଦ ନୁହେଁ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ବିଷୟ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ପ୍ରତ୍ୟେକ ବ୍ୟକ୍ତିର ଆର୍ଥିକ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ । କେହି ଆର୍ଥିକ ଭାବେ ସଞ୍ଚୟ କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ ଜଣେ ଅଧିକ ଖର୍ଚ୍ଚ କରିବାର ଅଭ୍ୟାସ ରହିଥାଏ । ତେଣୁ ପରସ୍ପର ମଧ୍ୟରେ ଖୋଲାଖୋଲି ଭାବେ କଥା ହେବା ଦ୍ୱାରା ହିଁ ଆର୍ଥିକ ଅଭ୍ୟାସ ବିଷୟରେ ଜଣାପଡିଥାଏ । ଫଳରେ ସେହି ହିସାବରେ ନିଜର ଖର୍ଚ୍ଚ ଓ ସଞ୍ଚୟର ପ୍ରଣାଳୀ ସମ୍ବନ୍ଧୀୟ ସହମତି ପ୍ରସ୍ତୁତ କରିବା ସହଜ ହୋଇଥାଏ । ଯଦି ଆର୍ଥିକ ଅସମାନତା ରହିଥାଏ, ତେବେ ନିମ୍ନ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଖୋଲାଖୋଲି କଥା ହୁଅନ୍ତୁ: ନିଜର ଭାବନାକୁ ସାଥୀ ସହ ବାଣ୍ଟନ୍ତୁ । ଯଦି ଆର୍ଥିକ ଅସମାନତାକୁ ନେଇ ମନରେ ଲଜ୍ଜା ବା ଭୟ ରହିଥାଏ, ତେବେ ପାର୍ଟନର ଆଗରେ କୁହନ୍ତୁ । ନିଜ ଭିତରେ ଆସୁଥିବା ବିଚାରକୁ ଠିକ୍ ମାନି ନିଅନ୍ତୁନାହିଁ । ବରଂ ସାମ୍ନା ଲୋକର ମତ ନିଅନ୍ତୁ । ବଦ୍ଖର୍ଚ୍ଚ କରୁଥିବା ସାଥୀ ସଞ୍ଚୟ କରୁଥିବା ପାର୍ଟନର୍ ସହ ଆର୍ଥିକ ଦିଗ ବିଷୟରେ କଥା ହୁଅନ୍ତୁ । ଘରେ ହେଉଥିବା ଖର୍ଚ୍ଚ ବିଷୟରେ ମାସ ଆରମ୍ଭ ପୂର୍ବରୁ ଯୋଜନା କରନ୍ତୁ ।

ଭାଷାର ଧ୍ୟାନ ରଖନ୍ତୁ: ନିଜ ସାଥୀଙ୍କ ସହ ଟଙ୍କାପଇସା ବା ରୋଜଗାର ବିଷୟରେ କଥା ହେବା ସମୟରେ ବୁଝିଶୁଝି ଚର୍ଚ୍ଚା କରିବା ଜରୁରି । କୌଣସି ବିବାଦ ସମୟରେ ଆର୍ଥିକ ଅସମାନତା ସମ୍ବନ୍ଧୀୟ ‘ମୋର’ ‘ତୁମର’ ଶବ୍ଦ ପ୍ରୟୋଗ କରନ୍ତୁନାହିଁ । କାରଣ ଏହି ଶବ୍ଦ ହିଁ ସାଥୀ ମନରେ ଭୟ ଓ ଲଜ୍ଜା ସୃଷ୍ଟି କରିଥାଏ ।

ନିଷ୍ପତ୍ତି ଏକା ନିଅନ୍ତୁନି : କୌଣସି ଜିନିଷ କିଣିବା ବା ନିବେଶ ସମୟରେ ଏକା ନିଷ୍ପତି ନିଅନ୍ତୁ ନାହିଁ । ଏପରି କରିବ ଦ୍ୱାରା ସାଥୀକୁ ଖରାପ ଲାଗିପାରେ । ତେଣୁ ତାଙ୍କ ସହମତି ନିଶ୍ଚୟ ନିଅନ୍ତୁ । ଯଦି ପିଲା ଥାନ୍ତି, ତେବେ କିଏ ଅଧିକ ଖର୍ଚ୍ଚି, ତାଙ୍କୁ ଜାଣିବାକୁ ଦିଅନ୍ତୁନାହିଁ । ମିଳିମିଶି ଆର୍ଥିକ ଅସମାନତାରେ ସନ୍ତୁଳନ ଆଣିବାକୁ ପ୍ରୟାସ କରନ୍ତୁ ।

ବଜେଟ୍ ପ୍ରସ୍ତୁତ କରନ୍ତୁ: ଯଦି ଜଣେ ଖର୍ଚ୍ଚି ଓ ଆଉ ଜଣେ ସଞ୍ଚୟ କରୁଥାନ୍ତି, ତେବେ ଘରେ ଏମିତି ବଜେଟ୍ ତିଆରି କରିବା କରିବା ଆବଶ୍ୟକ। ଯେପରିକି ଉଭୟଙ୍କ ମଧ୍ୟରେ ଥିବା ଅସମାନତା ଦୂର ହୋଇପାରିବ ।

ବୁଦ୍ଧିସମ୍ପନ୍ନ ରୁହନ୍ତୁ: ଆର୍ଥିକ ଅସମାନତା ଅଧିକ ସମ୍ବେଦନଶୀଳ ବିଷୟ । ତେଣୁ ସାଥୀ ପ୍ରତି ସହାନୁଭୂତି ରଖନ୍ତୁ, ଯେପରି ତାକୁ ଖରାପ ନ ଲାଗିବ । ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ମୂଲ୍ୟାୟନ କରନ୍ତୁ: ରୋଜଗାର ଓ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଯୋଜନା କରନ୍ତୁ । ଉଭୟଙ୍କ ଖର୍ଚ୍ଚ ଓ ରୋଜଗାରକୁ ନେଇ ଘରର ବଜେଟ୍ ଓ ନିବେଶ ଆଦି ଯୋଜନା କରିବା ଆବଶ୍ୟକ ।

ଜଏଣ୍ଟ ବଜେଟ୍: ଉଭୟଙ୍କର ରୋଜଗାରର ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି ଜଏଣ୍ଟ୍ ଆକାଉଣ୍ଟରେ ରଖନ୍ତୁ । ଫଳରେ ପାର୍ଟନର୍କୁ ସମାନତା ଅନୁଭବ ହେବ । ସେହିପରି ଦୀର୍ଘମିଆଦି ନିବେଶର ମଧ୍ୟ ଯୋଜନା କରନ୍ତୁ ।

ଟ୍ରାଭେଲ୍ ବଜେଟ୍: ବର୍ଷକୁ ଯେତେ ବୁଲାବୁଲି କରିବାକୁ ଚାହୁଁଥିବେ, ତା’ର ପ୍ଲାନ୍ ମଧ୍ୟ କରନ୍ତୁ । ଫଳରେ ଆସିବାକୁ ଥିବା ଖଚ୍ଚ୍ର୍କୁ ନେଇ ସାଥୀ ଯେପରି ଅସୁରକ୍ଷିତ ମନେ ନ କରିବେ ।

ସ୍ମାର୍ଟ ସଞ୍ଚୟ: ଯଦି ସାଥୀ ରୋଜଗାର କରୁଥାନ୍ତି, ତେବେ ଗ୍ୟାପ୍ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ବରଂ ନିବେଶ କରି ଉଭୟଙ୍କ ରୋଜଗାରର ଫାଇଦା ଉଠାନ୍ତୁ । ଫଳରେ ଆର୍ଥିକ ବିକାଶକୁ ଦୁଇଗୁଣା କରିପାରିବେ ।

ପକେଟ୍ ମନି: ଯଦି ଜଣେ ପାର୍ଟନର୍ ଚାକିରିରୁ ବ୍ରେକ୍ ନିଅନ୍ତି, ତେବେ ଅନ୍ୟ ଜଣେ ତାଙ୍କୁ ପକେଟ୍ ମନି ଦେବା ଉଚିତ୍ । କିନ୍ତୁ ଏହି ସ୍ଥିତିରେ ସାଥୀଙ୍କ ଖର୍ଚ୍ଚର ହିସାବ ନିଅନ୍ତୁ ନାହିଁ ।