fbpx

ଅଲିମ୍ପିକ୍ସ ପଦକ ବିଜେତା ସ୍ୱପ୍ନିଲ କୁସାଲେଙ୍କ ପାଇଁ ଦୁଇଟି ବଡ଼ ଘୋଷଣା: ୧ କୋଟି ଅର୍ଥ ସାଙ୍ଗକୁ ଚାକିରିରେ ପ୍ରମୋସନ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲ କୁସାଲଙ୍କୁ ମିଳିଛି ପୁରସ୍କାରର ସୁଅ । ଏହା ମଧ୍ୟରେ ସ୍ୱପ୍ନିଲଙ୍କ ପାଇଁ ରେଳବାଇ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦୁଇଟି ବଡ଼ ଘୋଷଣା କରାଯାଇଛି । ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ସ୍ୱପ୍ନିଲଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘୋଷଣା କରିଛନ୍ତି । ସେହିପରି ସ୍ୱପ୍ନିଲ ଭାରତୀୟ ରେଳବାଇରେ ଟିକେଟ କଲେକ୍ଟର (ଟିସି) ଭାବେ କାର୍ଯ୍ୟରତ ଥିବାବେଳେ ଏବେ ତାଙ୍କୁ ଚାକିରିରେ ମିଳିଛି ପ୍ରମୋସନ । ସ୍ୱପ୍ନିଲଙ୍କୁ ଓଏସଡି ପଦକୁ ରେଲୱେ ପକ୍ଷରୁ ପ୍ରମୋସନ ଦିଆଯାଇଥିବା ନେଇ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅଲିମ୍ପିକ୍ସରେ ପଦକ ଜିତିବା ପରେ ସ୍ୱପ୍ନିଲ ଦୁଇଟି ବଡ଼ ଉପହାର ପାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଅଲିମ୍ପିକ୍ସର ଷଷ୍ଠ ଦିବସରେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସ୍ୱପ୍ନିଲ ମୋଟ ୪୫୧.୪ ଅଙ୍କ ହାସଲ କରିଥିଲେ । ସ୍ୱପ୍ନିଲଙ୍କ ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ସେ ପଦକ ଜିତିବା ପରେ ମୋଟ ମେଡାଲ ସଂଖ୍ୟା ୩ରେ ପହଞ୍ଚି ଯାଇଥିଲା । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

Get real time updates directly on you device, subscribe now.