fbpx

SL vs IND; ଇତିହାସ ରଚିଲେ ହିଟମ୍ୟାନ୍ ରୋହିତ: ଦ୍ୱିତୀୟ ଦିନିକିଆରେ ଏକାଧିକ ରେକର୍ଡର ଅଧିକାରୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦମଦାର ଆରମ୍ଭ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ୨୪୧ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ରୋହିତ ଆଉ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର ୪୪ ବଳରୁ ୫ଟି ଚୌକା ଏବଂ ୪ଟି ଛକା ସହ ୬୪ ରନର ଦମଦାର ଇନିଂସ ଖେଳିଛନ୍ତି ରୋହିତ । ହିଟମ୍ୟାନ ରୋହିତଙ୍କ ଏହି ଇନିଂସରେ ଅନେକ ରେକର୍ଡ ନିଜ ନାମରେ କରିବାରେ ସେ ସଫଳ ହୋଇଛନ୍ତି । ଛକା ମରିବା ତାଲିକାରେ ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ରୋହିତ ଏହି ଅର୍ଦ୍ଧଶତକ ସହ ପୂର୍ବତନ କୋଚ ରାହୁଲ ଦ୍ରାବିଡଙ୍କ ଏକ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ରୋହିତ ୪ଟି ଛକା ମାରିଛନ୍ତି । ଏହାସହିତ ଛକା ମାରିବା ତାଲିକାରେ ରୋହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ଅଧିନାୟକ ଭାବରେ ସର୍ବାଧିକ ଛକା ମାରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଏହି ଛକା ସହ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଓନ୍ ମୋର୍ଗାନଙ୍କୁ ପଛରେ ପକାଇ ରୋହିତ ସର୍ବାଧିକ ଛକା ନିଜ ନାମରେ କରିଛନ୍ତି । ଇଓନ୍ ମୋର୍ଗାନ ବର୍ତ୍ତମାନ ସୁଦ୍ଧା ମୋଟ ୨୩୩ଟି ଛକା ନିଜ ନାମରେ କରିଛନ୍ତି । ବର୍ତ୍ତମାନ ରୋହିତ ତାଙ୍କୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାରେ ଭାରତର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ନାମ ମଧ୍ୟ ସାମିଲ ରହିଛି । ଧୋନୀ ଅଧିନାୟକ ଭାବରେ ୨୧୧ଟି ଛକା ମାରିଥିଲେ । ଏହାବ୍ୟତୀତ ରିକି ପଣ୍ଟିଂ ଏବଂ ନ୍ୟୁଜିଲାଣ୍ଡର ବ୍ରାଣ୍ଡନ୍ ମ୍ୟାକୁଲମ ଅଧିନାୟକ ଭାବରେ ୧୭୧ଟି ଲେଖାଏଁ ଛକା ମାରିଛନ୍ତି ।

ଛକାରେ ରେକର୍ଡ କରିବା ସହିତ ରୋହିତ ଆଉ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଭାରତର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ମଧ୍ୟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ । ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ରୋହିତ ଶର୍ମା ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି । ଦ୍ରାବିଡଙ୍କ ନାମରେ ମୋଟ ୧୦,୭୬୮ ଦିନିକିଆ ରନ୍ ଥିବା ବେଳେ ରୋହିତ ଶର୍ମା ଏହାକୁ ପଛରେ ପକାଇଛନ୍ତି । ତେବେ ଏହି ତାଲିକାରେ ରୋହିତଙ୍କ ଆଗରେ କେବଳ ସୌରଭ ଗାଙ୍ଗୁଲି, ବିରାଟ କୋହଲି ଏବଂ ସଚିନ୍ ତେନ୍ଦୁଲକର ସାମିଲ ରହିଛନ୍ତି ।

Get real time updates directly on you device, subscribe now.