fbpx

ଏ ଦୃଶ୍ୟ ଦେଖିଲେ ହସ ମାଡ଼ୁଛି! ପାଖରେ ନଦୀ ନାହିଁ କି ସଡ଼କ ନାହିଁ, ଚାରିପଟେ ଖାଲି କ୍ଷେତମୟ, ତଥାପି ଜମି ମଝିରେ ନିର୍ମାଣ ହୋଇଛି ୩ କୋଟିର ଏକ ବ୍ରିଜ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ଦେଖିଲେ ଆପଣ ହସିବେ କି ଆଶ୍ଚର୍ଯ୍ୟ ହେବେ ଭାବି ପାରିବେ ନାହିଁ । ତେବେ ଏହା ମଧ୍ୟରେ ବିହାରର ଅରରିୟା ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସାଧାରଣ ଭାବେ ରାସ୍ତା ଥିବା ସ୍ଥାନରେ ଓ ନଦୀ ଥିବା ସ୍ଥାନରେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ବ୍ରିଜ ନିର୍ମାଣ କରାଯାଇଥାଏ । ତେବେ ଯଦି କ୍ଷେତ ମଝିରେ ବ୍ରିଜ ନିର୍ମାଣ କରାଯିବ ତେବେ ତାହାକୁ କ’ଣ କୁହାଯିବ । ଏଭଳି ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ରାଜ୍ୟର ରାଣୀଗଞ୍ଜ ଅଞ୍ଚଳର ପରମାନନ୍ଦପୁର ଗ୍ରାମରେ ଏକ ଶୁଷ୍କ ନଦୀ ଉପରେ ପୋଲ ନିର୍ମାଣ ଓ ୩ କିମିର ସଡ଼କ ନିର୍ମାଣ ପାଇଁ ୩ କୋଟି ଟଙ୍କା ବରାଦ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ପୋଲ ନଦୀ ଉପରେ ନୁହେଁ, ବରଂ କ୍ଷେତ୍ର ମଝିରେ ନିର୍ମାଣ କରାଯାଇଥିଲା । ପୋଲ ଠାରୁ ସଡ଼କ କାହିଁ କେତେ ଦୂରରେ ରହିଥିଲା । ତେବେ ପୋଲ ପର୍ଯ୍ୟନ୍ତ ଯିବାକୁ ସଡ଼କ ନଥିବାରୁ ଉକ୍ତ ପୋଲକୁ କ’ଣ କରିବେ ବୋଲି ଗ୍ରାମବାସୀ ଆଶ୍ଚର୍ଯ୍ୟର ସହ କହିଛନ୍ତି । ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ପୋଲକୁ ନେଇ ଏବେ ଲୋକମାନେ ମୁଣ୍ଡରେ ହାତ ଦେଉଛନ୍ତି ।

ଗତ ଜୁନ୍ ମାସ ୧୮ ତାରିଖରେ ଅରରିୟାର ପଡ଼ରିୟା ଘାଟରେ ନିର୍ମିତ ହୋଇଥିବା ଏହି ପୋଲକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ସରକାରୀ ଅଧିକାରୀ ଓ ଠିକାଦାର ମିଶି ଅର୍ଥ ହଡ଼ପ କରିଥିବା କୁହାଯାଉଛି । ସମୟକ୍ରମେ ଏହି ପୋଲ ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁ ସ୍ଥାନରେ ପୋଲ ନିର୍ମାଣ ହୋଇଛି ସେଠାରେ ଦୁଲରଦେଈ ନାମକ ଏକ ମୃତ ପ୍ରାୟ ନଦୀ ରହିଥିବା ଗ୍ରାମବାସୀ କହିଛନ୍ତି । ଉକ୍ତ ନଦୀ କେବଳ ବର୍ଷାଦିନେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ଓ ଅନ୍ୟ ଦିନମାନଙ୍କରେ ଶୁଷ୍କ ରହିଥାଏ । ଏହି ପୋଲକୁ ନେଇ ସ୍ଥାନୀୟ ଡିଏମଙ୍କୁ ଅବଗତ କରାଯାଇଥିବା ବେଳେ ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.