fbpx

ସେପ୍ଟେମ୍ବର ୨ରେ ସମସ୍ତ ସ୍କୁଲ-କଲେଜ ବନ୍ଦ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି ନେଲେ ୨ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖ (ସୋମବାର) ଦିନ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି ରଖିବା ନେଇ ପ୍ରଶାସନ ପକ୍ଷରୁ ଆଦେଶ ଜାରି କରାଯାଇଛି । ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେଣୁ ସେହି କାରଣରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।

ସୂଚନା ମୁତାବକ, ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୋମବାର ଦିନ ଏହି ଦୁଇ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ । ସ୍ଥିତିକୁ ଗମ୍ଭୀରତାର ସହ ନେବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆସନ୍ତାକାଲି ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ନେଇ ମୌସୁମୀ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ବର୍ଷା କାରଣରୁ ସ୍କୁଲ, କଲେଜ ସହିତ ରେଳ ସେବା ମଧ୍ୟ ପ୍ରଭାବିତ ହେବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ କାହାର କିଛି କ୍ଷତି ନ ହେବା ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

କୌଣସି ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ସତର୍କ ରହିବାକୁ ସରକାରୀ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ପ୍ରବଳ ବର୍ଷା କାରଣରୁ ଆନ୍ଧ୍ରପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ବିଜୟୱାଡ଼ା ଭୂସ୍ଖଳନ କାରଣରୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ୫-୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ।

Get real time updates directly on you device, subscribe now.