fbpx

ହରିୟାଣା ନିର୍ବାଚନ; ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି: ୨ ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ହେଉଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି ପର୍ଯ୍ୟାୟରେ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତାଲିକାରେ ୨ ଜଣ ମୁସଲିମ ପ୍ରାର୍ଥୀଙ୍କୁ ମଧ୍ୟ ବିଜେପି ଟିକେଟ ପ୍ରଦାନ କରିଛି । ଫିରୋଜପୁର ଝିରକା ଅଞ୍ଚଳରେ ନସୀମ ଅହମଦଙ୍କୁ ଟିକେଟ ଦେଇଥିବା ବେଳେ ପୁନହାନା ଆସନ ପାଇଁ ଏଜାଜ ଖାନ୍ ବିଜେପିର ମଙ୍ଗ ଧରିବେ । ଉଭୟ ଆସନରେ ବିଜୟ ହାସଲ କରିବା ପାଇଁ ଆଶା ରଖିଛି ଭାରତୀୟ ଜନତା ପାର୍ଟି ।

ଚଳିତ ନିର୍ବାଚନ ପାଇଁ ବିଜେପି ନିଜର ମାଷ୍ଟରଷ୍ଟ୍ରୋକ ଖେଳିଛି । ନାରାୟଣଗଡ଼ ଆସନ ପାଇଁ ପୱନ ସୈନୀ, ନୁହରୁ ସଞ୍ଜୟ ସିଂହଙ୍କୁ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ତେବେ ଏହି ପ୍ରାର୍ଥୀ ତାଲିକା ଆସିବା ସହ ୨ ଜଣ ମନ୍ତ୍ରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହାପୂର୍ବରୁ ବିଜେପି ତରଫରୁ ହରିୟାଣା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୭ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ସହ ପାର୍ଟି ତରଫରୁ ମୋଟ ୮୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କେବଳ ମହେନ୍ଦ୍ରଗଡ଼, ସିରସା ଏବଂ ଫରିଦାବାଦ ଏନଆଇଟି ୩ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଭାରତୀୟ ଜନତା ପାର୍ଟି ।

ସେପଟେ ପେହୋୱାରୁ ବିଜେପି ପ୍ରାର୍ଥୀ କୱଲଜୀତ ଅଜରାନା ନିଜ ଟିକେଟ ଫେରାଇ ଦେଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଜୟ ଭଗବାନ ଶର୍ମାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ରୋହତକରୁ ବିଜେପିର ପୂର୍ବ କ୍ୟାବିନେଟ ମନ୍ତ୍ରୀ ମନୀଷ ଗ୍ରୋଭରଙ୍କୁ ପାର୍ଟି ତରପରୁ ଟିକେଟ ପ୍ରଦାନ କରାଯାଇଛି । ସେହିପରି କଂଗ୍ରେସର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ବିପକ୍ଷରେ କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ନିର୍ବାଚନୀ ମଇଦାନରେ ସୁଯୋଗ ଦେଇଛି ଭାରତୀୟ ଜନତା ପାର୍ଟି ।

Get real time updates directly on you device, subscribe now.