fbpx

ମନରୁ ଲିଭିନି ରୋହିତଙ୍କ ଆଖିର ଲୁହ… ୨୦୨୩ ବିଶ୍ୱକପକୁ ନେଇ ଖୁସି ଖବର ଦେଲା ଆଇସିସି: ମିଳିଛି ବମ୍ପର ରୋଜଗାର

ନୂଆଦିଲ୍ଲୀ: ଆଖିରେ ଲୁହ, ମନରେ ଅକୁହା ଯନ୍ତ୍ରଣା । ସେହି ଗୋଟିଏ ରାତି, ଯାହା କୋଟି କୋଟି ଭାରତୀୟଙ୍କୁ ଆଖିରେ ଲୁହ ଭରି ଦେଇଥିଲା । କାନ୍ଦୁଥିଲେ ରୋହିତ, କାନ୍ଦୁଥିଲେ ବିରାଟ-ଦ୍ରାବିଡ ଆଉ ସାରା ଭାରତ । ଧାର ଧାର ଲୁହରେ ଭିଜି ଯାଇଥିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆର ୧୪ ବର୍ଷର ସ୍ୱପ୍ନ ପୁଣିଥରେ ଭାଙ୍ଗିରୁଜି ଚୁରମାର ହୋଇଗଲା । ଯାହାର ଦୁଃଖ ଆଜି ବି ଲୋକଙ୍କ ମନରେ ରହିଛି । କିନ୍ତୁ ଏହି ମ୍ୟାଚକୁ ପ୍ରାୟ ୧୦ ମାସ ବିତିଯିବା ପରେ ବର୍ତ୍ତମାନ ଆଇସିସି ବିଶ୍ୱକପକୁ ନେଇ ଏକ ଖୁସି ଖବର ଦେଇଛି ।

୨୦୨୩ ବିଶ୍ୱକପକୁ ନେଇ ଏକ ରିପୋର୍ଟ ଜାରି କରିଛି ଆଇସିସି । ଏହି ବିଶ୍ୱକପରୁ ଆଇସିସି ବମ୍ପର ରୋଜଗାର କରିଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୨୩ ଦିନିକିଆ ବିଶ୍ୱକପ ସମୟରେ ଭାରତୀୟ ଅର୍ଥନୀତି ମୋଟ ୧୬,୬୩୭ କୋଟି ଟଙ୍କା ଲାଭ କରିଥିବା କହୁଛି ରିପୋର୍ଟ । ତେବେ ଟ୍ରାଭେଲ୍ସରୁ ସର୍ବାଧିକ ରୋଜଗାର ହୋଇଥିବା ରିପୋର୍ଟରୁ ଜଣାଯାଇଛି । ଏହି ବିଶ୍ୱକପ୍ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବବୃହତ୍ ବିଶ୍ୱକପ୍ ଥିଲା ବୋଲି କୁହାଯାଇଛି । ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଜ୍ୟୋଫ ଅଲାର୍ଡିସ କହିଛନ୍ତି ଯେ, ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍-୨୦୨୩ କ୍ରିକେଟର ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ଭାରତକୁ ପ୍ରାୟ ୧.୩୯ ଆରବ ଡଲାର (୧୧,୬୩୭ କୋଟି ଟଙ୍କା)ର ଆର୍ଥିକ ଲାଭ ହୋଇଛି ।

ଆଇସିସିର ଏକ ବୟାନରେ କୁହାଯାଇଛି ଯେ, ଆୟୋଜକ ସହରରେ ପର୍ଯ୍ୟଟନ କ୍ଷେତ୍ରରେ ୮୬ କୋଟି ୧୪ ଲକ୍ଷ ଡଲାରର ରାଜସ୍ୱ ଆଦାୟ ହୋଇଥିଲା । ଏଥିରେ ଆବାସ, ଯାତ୍ରା, ପରିବହନ ସହ ଖାଦ୍ୟପେୟ ମଧ୍ୟ ସାମିଲ ରହିଛି । ଏହି ରେକର୍ଡ ସଂଖ୍ୟକ ପ୍ରାୟ ୧୨ ଲକ୍ଷ ୫୦ ହଜାର ଦର୍ଶକ ଷ୍ଟାଡିୟମରେ ବିଶ୍ୱକପ ଦେଖିବାକୁ ପହଞ୍ଚିଥିଲେ । ପ୍ରାୟ ୭୫ ପ୍ରତିଶତ ଲୋକ ପ୍ରଥମ ଥର ପାଇଁ ଆଇସିସିର ଦିନିକିଆ ମ୍ୟାଚ୍ ଦେଖିବାକୁ ଆସିଥିବା ଏହି ରିପୋର୍ଟରେ ଦାବି ହୋଇଛି । ଏହାବ୍ୟତୀତ ୫୫ ପ୍ରତିଶତ ଦର୍ଶକ ପୂର୍ବରୁ ନିୟମିତ ଭାରତ ଗସ୍ତରେ ଆସିଛନ୍ତି । କିନ୍ତୁ ବାକି ପ୍ରାୟ ୧୯ ପ୍ରତିଶତ ଅନ୍ତରାଷ୍ଟ୍ରୀୟ ପ୍ରଶଂସକ ପ୍ରଥମ ଥର ଭାରତକୁ ବିଶ୍ୱକପ୍ ଦେଖିବା ପାଇଁ ଆସିଥିଲେ । ଅନ୍ତର୍ଜାତୀୟ ଯାତ୍ରୀମାନେ ସେମାନଙ୍କ ରହିବା ସମୟରେ ଅନେକ ପର୍ୟ୍ୟଟନ ସ୍ଥଳ ପରିଦର୍ଶନ କରିଥିଲେ, ଫଳସ୍ୱରୂପ ୨୮୧.୨ ନିୟୁତ ଡଲାରର ଆର୍ଥିକ ଲାଭ ହୋଇଥିଲା ।

Get real time updates directly on you device, subscribe now.