fbpx

(video) ପୋଲିସ- ମେଜର ବିବାଦ: ଆକ୍ଟିଭ ମୋଡରେ କ୍ରାଇମବ୍ରାଞ୍ଚ, ମେଜରଙ୍କୁ କଲା ପଚରାଉଚରା

ଭୁବନେଶ୍ୱର: ଦିନ ଗଡିବା ସହ ଜଟିଳ ହେଲାଣି ଭରତପୁର ଥାନାରେ ପୋଲିସ- ମେଜର ବିବାଦ । ଘଟଣା ରାଜ୍ୟ ରାଜଧାନୀରୁ ବାହାରି ଜାତୀୟ ରାଜଧାନୀରେ ରାଜନୀତିକୁ ଉଷ୍ମ କରିଦେଲାଣି । ବିଭିନ୍ନ ଆଡୁ ଚାପ ପଡିବା ପରେ ଆକ୍ଟିଭ ହୋଇଛି କ୍ରାଇମବ୍ରାଞ୍ଚ । ଜଲଦିରୁ ଜଲଦି ତଦନ୍ତ ସାରି ଘଟଣା ପଛର ସତ ଜାଣିବାକୁ ଚଳାଇଛି ପଚରାଉଚରା, ଛାନଭିନ ।

ଘଟଣାରେ ୧୨୦ ବାଟାଲିୟନର ମେଜର ଗୁରୁବଂଶ ସିଂଙ୍କୁ ପଚରାଉଚରା କରିଛି । ମେଜରଙ୍କଠାରୁ ଘଟଣା ରାତିର ଟିକିନିକି ଖବର ନେଇଛି ତଦନ୍ତକାରୀ ଦଳ । ବିଶେଷକରି ଥାନାରେ କଣ ହେଲା, କିଭଳି ଥିଲା ପୋଲିସର ଆଚରଣ ତାକୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ଟିମ ଅଧିକାରୀ । ସେ ପହଞ୍ଚିବା ବେଳେ ଥାନାରେ କିଏ ଥିଲେ, କିଭଳି ସେମାନଙ୍କ ସହ ପୋଲିସ ବ୍ୟବହାର କରିଥିଲା, ପରେ ଆଇଆଇସି ଆସି କଣ କଲେ, ଏମିତି ବିଭିନ୍ନ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ ।

ସେପଟେ ଘଟଣାକୁ ନେଇ ମେଜରଙ୍କ ବାନ୍ଧବୀଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଆଗପଛ କରି ଜେରା କରି ଉଭୟଙ୍କ ବୟାନରେ ଥିବା ପ୍ରଭେଦକୁ ଖିଅ କରିବ ବୋଲି କୁହାଯାଉଛି । ସେପଟେ ଘଟଣାରେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଗେଇ ଆସଛି ରାଜ୍ୟ ପୋଲିସ କର୍ମଚାରୀ ସଂଘ । ଆଜି ନିଲମ୍ବିତ ପୋଲିସଙ୍କ ପରିବାର ସହ ବହୁ ପୋଲିସ କର୍ମଚାରୀଙ୍କ ପରିବାର ୧୨୦ ବାଟାଲିୟନ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି ।

ସେହିପରି ପୋଲିସ ସଂଘ ପକ୍ଷରୁ ମଧ୍ୟ ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ନିଲମ୍ବନ ଉଠାଇବାକୁ ଦାବି ହୋଇଛି । ସଂଘ କହିଛି, ହୋଇଥିବା ଅଭିଯୋଗ ଯଦି ସତ ହୋଇଥାଏ ତେବେ ଏହା ଏକ ଜଘନ୍ୟ ଘଟଣା । ତେବେ ବର୍ତ୍ତମାନ ତଦନ୍ତ ଚାଲିଛି । ତଦନ୍ତ ପରି କେହି ଦୋଷୀ ମିଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଆବଶ୍ୟକ । ବିନା ଦୋଷୀ ସାବ୍ୟସ୍ତ ହୋଇ ନିଲମ୍ବନ ଉଚିତ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଉଛି ।

ତେବେ ଘଟଣାରେ କ୍ରାଇମ ବ୍ରାଞ୍ଚ ସମ୍ପୃକ୍ତ ପୀଡିତାଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଏଥିନେଇ କୋର୍ଟଙ୍କଠାରୁ ଅନୁମତି ମାଗିବାକୁ ଯାଉଛି ।

Get real time updates directly on you device, subscribe now.